
ଭୁବନେଶ୍ୱର,୧୭।୭: FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବୁଧବାର ବିଜେଡି ଆନ୍ଦୋଳନ କରିଥିବାବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗେସ। ଲୋୟର ପିଏମଜିରେ ଆନ୍ଦୋଳନ କରୁଛି କଂଗ୍ରେସ। ଯେଉଁଥିରେ ପୂରା ରାଜଧାନୀ ଉଠୁଛି ପଡୁଛି। ଏହି ସମୟରେ ଭକ୍ତ ବଡ଼ ବୟାନ ଦେଇ କହିଛନ୍ତି, ନ୍ୟାୟର ଲଢ଼େଇରେ ଜନସାଧାରଣ ସମର୍ଥନ କରନ୍ତୁ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ଓଡ଼ିଶାରେ ନାରୀ ନିର୍ଯାତନା ବଢ଼ିଛି, ସୁରକ୍ଷା ଦରକାର। ପୀଡ଼ିତାକୁ ନ୍ୟାୟ ଦେବାକୁ କଂଗ୍ରେସ ବନ୍ଦ ପାଳନ କରୁଛି। ବନ୍ଦ ପାଇଁ ଅସୁବିଧା ହେଉଥିବାରୁ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି ଭକ୍ତ। ସମସ୍ତ ପ୍ରକାର ଗାଡିସେବା ରହିଛି, ବିଭିନ୍ନ ଷ୍ଟେଶନରେ ରେଳକୁ ରୋକାଯାଇଛି। ଲୋକେ ହଇରାଣ ହରକତ ହେଉଛନ୍ତି। ତାଙ୍କୁ ଆମେ କ୍ଷମା ମାଗୁଛୁ।
ଭକ୍ତ ଆହୁରି କହିଛନ୍ତି, ଆନ୍ଦୋଳନ ଯେତେଯାଏ ହେବ ମୁଁ ହଟିବି ନାହିଁ। ପଛଘୁଞ୍ଚା ନାହିଁ ବୀରର ଜାତକେ। ମୋହନ ମାଝୀଙ୍କୁ ଆଜି ଗାଦି ଛାଡିବାକୁ ପଡିବ। ମୋତେ ପୋଲିସ ଉଠାଇବେ, ସମସ୍ତଙ୍କୁ ଉଠାଇବେ। ହେଲେ ବି ଆନ୍ଦୋଳନ ଜୋରଦାର ହେବ। ଗତକାଲି ଏକ କାର୍ଯ୍ୟକ୍ରମରେ ମୁଁ ମନମୋହନ ସାମଲଙ୍କୁ କହିଥିଲି, ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ ମୁଁ ଆଜି ହିଁ ଆନ୍ଦୋଳନ ଡାକରା ଫେରାଇନେବି। ହେଲେ ଅହଙ୍କାରୀ ସରକାର ଏଥିରେ ରାଜି ହେଲେ ନାହିଁ।
ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି, ଆଜି ଓଡ଼ିଶାର ଲୋକମାନେ ଅନୁଭବ କରୁଛନ୍ତି ଯେ, ବିଜେପି ସରକାରଙ୍କୁ ନିର୍ବାଚିତ କରି ସେମାନେ ଏକ ବଡ଼ ଭୁଲ୍ କରିଛନ୍ତି।
କାରଣ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ। ଆଜି, ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ସେ ଦାବି କରିଛନ୍ତି।