ନିମିଷାଙ୍କୁ କ୍ଷମା ପାଇଁ ମନା କଲେ ପୀଡ଼ିତଙ୍କ ପରିବାର

youtube

ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବଞ୍ଚିବାର ଶେଷ ଆଶା ମଉଳି ଯାଇଛି। ବ୍ଲଡ ମନି (କ୍ଷତିପୂରଣ ଅର୍ଥ) ବଦଳରେ ନିମିଷାଙ୍କୁ କ୍ଷମା ଦେବାକୁ ମନା କରି ଦେଇଛନ୍ତି ପୀଡିତଙ୍କ ପରିବାର ସଦସ୍ୟ। ନିମିଷାଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ୟେମେନ ନାଗରିକ ତଲାଲ ଅବଦୋ ମେହଦିଙ୍କ ଭାଇ ଅବଦେଲଫତହ ମେହଦି ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବିବିସିର ଆରବିକ୍ ଚାନେଲକୁ ଏକ ସାକ୍ଷାତ୍‌କାରରେ ଅବଦେଲଫତହ କହିଛନ୍ତି ଯେ ତାଙ୍କ ପରିବାର ବ୍ଲଡ ମନି ଗ୍ରହଣ କରିବେ ନାହିଁ କି ନିମିଷାଙ୍କୁ କ୍ଷମା ଦେବ ନାହିଁ। କ୍ଷମା ପରିବର୍ତ୍ତେ ନିମିଷାଙ୍କୁ ଅନୁରୂପ ଦଣ୍ଡ (କିସାସ୍‌) ପାଇଁ ତଲାଲଙ୍କ ପରିବାର ଦାବି କରିଛି। ‘କିସାସ୍‌’ ଅନୁଯାୟୀ ହତ୍ୟାର ଶିକାର ପରିବାର ଦୋଷୀ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥାନ୍ତି। ଅବଦେଲଫତହ କହିଛନ୍ତି ଯେ ନିମିଷା ତାଙ୍କ ଅପରାଧ ପାଇଁ ନିଶ୍ଚିତ ଫାଶୀ ପାଇବା ଦରକାର।
ଅନ୍ୟପଟେ ଅବଦେଲଫତହ କହିଛନ୍ତି ଭାରତର ଗଣମାଧ୍ୟମରେ ତାଙ୍କ ଭାଇ ତଲାଲଙ୍କ ସମ୍ପର୍କରେ ଯେଉଁ ଅଭିଯୋଗ କରାଯାଉଛି ତାହା ମିଥ୍ୟା। ନିମିଷାଙ୍କ ପାସପୋର୍ଟକୁ ତଲାଲ ଜବତ କରି ରଖିବା ସହ ହଇରାଣ ହରକତ କରୁଥିଲେ ବୋଲି ଅଭିଯୋଗ କରାଯାଉଥିବାବେଳେ ଅବଦେଲଫତହ ଏହାକୁ ଖଣ୍ଡନ କରିଛନ୍ତି। ତଲାଲ ନିମିଷାଙ୍କର ବ୍ୟାବସାୟିକ ପାର୍ଟନର ଥିଲେ। ଉଭୟ ମିଳିତ ଭାବେ ଏକ କ୍ଲିନିକ୍ ଖୋଲିଥିଲେ। ପାର୍ଟନର ହିସାବରେ ତଲାଲ ନିମିଷାଙ୍କୁ ସହଯୋଗ କରିବା ପରିବର୍ତ୍ତେ ହଇରାଣ କରୁଥିଲେ ଓ ତାଙ୍କ ପାସପୋର୍ଟକୁ ଜବତ କରି ରଖିଥିଲେ। ନିଜ ପାସପୋର୍ଟ ପାଇବା ଲାଗି ତଲାଲଙ୍କୁ ନିମିଷା ନିଶ୍ଚେତକ ଇଞ୍ଜେକସନ୍ ଦେଇଥିଲେ। ନିଶ୍ଚେତକ ଇଞ୍ଜେକସନ୍‌ର ମାତ୍ରା (ଡୋଜ୍‌) ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା। ତେଣୁ ନିମିଷାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅବଦେଲଫତହ କହିଛନ୍ତି ଯେ ନିମିଷାଙ୍କ ସହିତ ତଲାଲଙ୍କର କୌଣସି ବ୍ୟକ୍ତିଗତ କିମ୍ବା ପ୍ରଫେସନାଲ ବିବାଦ ନଥିଲା। ତେଣୁ ନିମିଷା ଯେଉଁ ଅପରାଧ କରିଛନ୍ତି ସେଥିପାଇଁ ମୃତ୍ୟୁ ଦଣ୍ଡ ପାଇବା ଯଥାର୍ଥ। ୨୦୧୭ରେ ତଲାଲଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ନିମିଷା ଓ ତାଙ୍କର ଅନ୍ୟ ଜଣେ ସାଥୀ ଖଣ୍ଡଖଣ୍ଡ କରି କାଟି ପାଣି ଟାଙ୍କିରେ ପକାଇ ଦେଇଥିଲେ। ଏହି ମାମଲାରେ ନିମ୍ନ ଅଦାଲତ ତାଙ୍କୁ ୨୦୨୩ରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୨୦୨୪ରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ। ପରେ ୟେମେନ ରାଷ୍ଟ୍ରପତି ରସଦ ଅଲ୍‌ ଆଲିମି ଏହି ଦଣ୍ଡାଦେଶକୁ ଅନୁମୋଦନ କରିଥିଲେ। ୩୭ବର୍ଷୀୟା ନିମିଷା ଏବେ ୟେମେନର ରାଜଧାନୀ ସାନ୍ନାରେ ବନ୍ଦୀ ଅଛନ୍ତି। ସାନ୍ନା ହେଉଛି ଇରାନର ସମର୍ଥିତ ହୁତି ଆତଙ୍କବାଦୀଙ୍କ ଅଧ୍ୟୁଷିତ ସହର। କେରଳ ପାଲାକାଡ ଜିଲାର ନିମିଷା ୨୦୦୮ରେ ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ବିଭିନ୍ନ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରିଥିଲେ। କିଛି ବର୍ଷ କାମ କରିବା ପରେ ସେ ନିଜର ଏକ କ୍ଲିନିକ୍ ଖୋଲିଥିଲେ। ୟେମେନରେ କ୍ଲିନିକ୍ ଖୋଲିବା ପାଇଁ ନିୟମ ଅନୁଯାୟୀ ଜଣେ ସ୍ଥାନୀୟ ବାସିନ୍ଦା ହିସାବରେ ତଲାଲଙ୍କୁ ସେ ନିଜର ବ୍ୟାବସାୟିକ ପାର୍ଟନର ରଖିଥିଲେ।

Leave A Reply

Your email address will not be published.