ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ

youtube

ରାୟଗଡ଼ା: ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନେ ବାରମ୍ବାର ଦୁଷ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ପୁଣି ବିଷମକଟକରେ ଦେଖିବାକୁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ଜା ଜନକ ଘଟଣା । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡକୁମ୍ ସଦର ପଞ୍ଚାୟତଠାରେ ଅବସ୍ଥିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ପଦାକୁ ଆସିଛି।

ଏହି ଘଟଣା ଜାଣିବା ପରେ ଗତକାଲି (ବୁଧବାର) ରାତିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ତରଫରୁ ବିଷମ କଟକ ଥାନାରେ ଏକ ଏତଲା ଦିଆଯାଇଛି। ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମ କଟକ ପୋଲିସ ଏଘଟଣାରେ ସଂପୃକ୍ତ ଜଣେ ଯୁବକକୁ ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ଗତକାଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଉକ୍ତ ଆବାସିକ ବିଦ୍ୟାଳୟ ଆନ୍ତେବାସୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସଂପୃକ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ବେଳେ ପରୀକ୍ଷା ନିରୀକ୍ଷା କରିବାରୁ ସେ ଗର୍ଭବତୀ ରହିଥିବା ଜଣାପଡିଥିଲା।

ଏ ସଂକ୍ରାନ୍ତରେ ସ୍ଵାସ୍ଥ୍ୟ ଚିକିତ୍ସକ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବଗତ କରିଥିଲ । ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ଡାକି ସମସ୍ତ କଥା ପଚାରି ବୁଝିବା ବେଳେ ଉକ୍ତ ଛତ୍ରୀ ଜଣକ ଗ୍ରୀଷ୍ମ ଛୁଟିରେ ଘରକୁ ଯାଇଥିବା ବେଳେ ତାଙ୍କ ମାମୁ ପୁଅ ସହିତ ଅନୈତିକ ସମ୍ପର୍କ ଗଢି ଉଠିଥିବା କଥା ପ୍ରକାଶ କରିଥିଲେ। ଏ ସମସ୍ତ କଥା ଝିଅର ବାପା-ମାଆଙ୍କୁ ଶିକ୍ଷୟତ୍ରୀ ସୂଚନା ଦେଇଥିଲେ ଏବଂ ଛାତ୍ରୀ ଜଣକ ଗର୍ଭବତୀ ରହିଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରିଥିଲେ। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ପକ୍ଷରୁ ବିଷମ କଟକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଷମ କଟକ ପୋଲିସ ପିଡିତା ଛାତ୍ରୀଙ୍କୁ ପଚରାଉଚରା କରିଥିଲେ।

ଛାତ୍ରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ କୁମ୍ଭାରଧାମୁଣି ଗ୍ରାମ ପଞ୍ଚାୟତର ପାପଡାମ୍ବୁ ଗ୍ରାମର ସମ୍ପର୍କୀୟ ମାମୁଁ ପୁଅ ପିଂଟୁ ସାରକା (୧୮) ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ । ନାବାଳିକା ଛାତ୍ରୀଙ୍କ ବୟାନ ଆଧାରରେ ବିଷମ କଟକ ପୋଲିସ ସଂପୃକ୍ତ ପିଂଟୁ ସାରକାଙ୍କୁ ବିଷମ କଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.