
ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ ମିଡିଆରେ ଛାତ୍ରୀଙ୍କ ଖବରକୁ ନେଇ ସବୁଠୁ ବେଶି ଚର୍ଚ୍ଚା । ଯିଏ ଯାହା ପାରିଲା ଲେଖିଲା କି କହିଲା । କାହାରି ମୁହଁରେ ବାଡ଼ବତା ନାହିଁ । ଏମିତିକି ଛାତ୍ରୀଙ୍କ ସାଙ୍ଗ ଓ ସହପାଠୀମାନେ ମଧ୍ୟ ନିଜ କଥାରେ ଅଙ୍କୁଶ ଲଗାଉ ନାହାନ୍ତି । ଅନ୍ୟପଟେ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସବୁଠି ଦାବି ଉଠିଛି । ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଚାଲିଛି ଆନ୍ଦୋଳନ ।
ଏହାରି ଭିତରେ ଭୋଗରାଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରିଛନ୍ତି ମୃତ ଛାତ୍ରୀଙ୍କ ଭାଇ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିବା ପରେ ପରିବାର ଲୋକେ ଦୁଖଃରେ ଭାଙ୍ଗି ପଡିଛନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ କିଛି ଲୋକ ତାଙ୍କ ଭଉଣୀ ଏବଂ ପରିବାର ପ୍ରତି ସୋସିଆଲ ମିଡିଆରେ ଆଶାଳୀନ ମନ୍ତବ୍ୟ ଦେଉଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ଭାଇ । ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ଭଉଣୀ ଏବଂ ପରିବାର ପ୍ରତି ଅଶାଳୀନ ମନ୍ତବ୍ୟ ଦିଆଯାଉଛି ।
ଭଉଣୀର ଏଭଳି ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସୋସିଆଲ ମିଡିଆରେ ଆସୁଥିବା ମନ୍ତବ୍ୟ ସେମାନଙ୍କୁ ଆହୁରି ବ୍ୟଥିତ ଓ ମର୍ମାହତ କରୁଛି । ଏ ନେଇ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ଭାଇ । ଝିଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ । ଯାହା ସେମାନଙ୍କ ପକ୍ଷରେ ସହ୍ୟ କରିବା ଅସମ୍ଭବ ହୋଇ ପଡିଛି । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପରିବାରର ସୁରକ୍ଷା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ଭାଇ ।
ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ୪ ଜଣଙ୍କ ନାମରେ ଅଭିଯୋଗ କରାଯାଇ ଥିଲା । ଯାହାପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଜଣେ ଯୁବକକୁ ଅଟକ ରଖିଛି ଭୋଗରାଇ ଥାନା ପୋଲିସ । ଗତ ୧୬ ତାରିଖ ଦିନ ଭୋଗରାଇ ଥାନାରେ ସୁରକ୍ଷା ପାଇଁ ୪ ଜଣରୁ ଅଧିକ ବ୍ୟକ୍ତିଙ୍କ ନାମରେ ଏତେଲା ଦେଇ ଥିଲେ ମୃତ ଛାତ୍ରୀଙ୍କ ଭାଇ । ଅଭିଯୋଗ ପରେ ଭୋଗରାଇ ଥାନା ପୋଲିସ କେସ ନମ୍ବର ୩୩୨/୨୫ରେ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯାହାପରେ ଗତକାଲି ଜଣେ ଯୁବକକୁ ଅଟକ ରଖି ଅଧିକ ପଚାରା ଉଚୁରା ଜାରି ରଖିଛି । ଅଟକ ଥିବା ଯୁବକ ଜଣକ ମଧ୍ୟ ଭୋଗରାଇ ଅଞ୍ଚଳର ବୋଲି ଜଣାପଡିଛି ।