ଉପଜିଲ୍ଲାପାଳଙ୍କ ମନମାନି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : କାର୍ଯ୍ୟାଳୟ ସମ୍ମୁଖରେ ଲିଙ୍ଗିପୁରବାସୀଙ୍କ ଧାରଣା

youtube

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଲିଙ୍ଗିପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବୈଠକ ପାଇଁ ତାରିଖ ଘୋଷଣା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉପଜିଲ୍ଲାପାଳ ତାହାକୁ ପାଳନ କରୁନଥିବା ଅଭିଯୋଗରେ ଲିଙ୍ଗିପୁର ଗ୍ରାମବାସୀ ଓ ଆଇନଜୀବୀମାନେ ଧାରଣା ଦେଇଛନ୍ତି।

ସୂଚନା ଅନୁଯାୟୀ, ଲିଙ୍ଗିପୁର ପଞ୍ଚାୟତର ସରପଞ୍ଚ କ୍ଷିରୋଦ କୁମାର ପ୍ରଧାନଙ୍କ ବିରୋଧରେ ଗତ ଜୁନ୍ ୧୮, ୨୦୨୫ରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ତେବେ, ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉପଜିଲ୍ଲାପାଳ କୌଣସି ପଦକ୍ଷେପ ନନେବାରୁ ଏବଂ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ କରି ୱାର୍ଡସଭ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ଜୁଲାଇ ୮, ୨୦୨୫ ତାରିଖରେ ତୁରନ୍ତ ପଞ୍ଚାୟତ ନିୟମ ଅନୁଯାୟୀ ବୈଠକ ପାଇଁ ତାରିଖ ଧାର୍ଯ୍ୟ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗ ହୋଇଛି ଯେ, ଉପଜିଲ୍ଲାପାଳ ଏହି ଆଦେଶକୁ ଅବମାନନା କରିବା ସହ “ହାଇକୋର୍ଟ ନିଜେ କାହିଁକି ତାରିଖ ଦେଲେ ନାହିଁ” ବୋଲି ପ୍ରଶ୍ନ କରିଥିଲେ।

ଉପଜିଲ୍ଲାପାଳଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ବିରୋଧରେ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ପ୍ରତିବାଦକାରୀମାନେ ଏକ ଦାବିପତ୍ର ଦେବାକୁ ଯାଇଥିବା ବେଳେ ସାମ୍ବାଦିକମାନଙ୍କୁ ଦେଖି ଉପଜିଲ୍ଲାପାଳ ତାହାକୁ ଗ୍ରହଣ କରିବାକୁ ଆସିନଥିବା ମଧ୍ୟ ଅଭିଯୋଗ ହୋଇଛି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.