ବଣାଇଁରେ ଲୁଟେରାଙ୍କ ଆତଙ୍କ: ଥାନା ନିକଟରୁ ଏକା ରାତିରେ ୬ ଦୋକାନରୁ ଲୁଟ୍, ପୋଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

youtube

ବଣାଇଁ: ଗତକାଲି ରାତିରେ ଓଡ଼ିଶା ବନ୍ଦର ସୁଯୋଗ ନେଇ ବଣାଇଁ ସହରରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ବଣାଇଁ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ମୁଖ୍ୟ ରାସ୍ତା କଡ଼ର ୬ଟି ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବା ବେଳେ ପୋଲିସର ରାତ୍ରି ପାଟ୍ରୋଲିଂ ନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଣାଇଁ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା ସାହୁ ଟିଫିନ୍ ଷ୍ଟଲ, ତାଜ ମୋବାଇଲ, ବଣାଇଁ ଇଣ୍ଟରନେଟ୍, କୁର୍ତ୍ତୀ ପାନ ଦୋକାନ ଏବଂ ବ୍ଲକ ଛକରେ ଥିବା ଅଗସ୍ତି ନାୟକଙ୍କ ଭେରାଇଟି ଷ୍ଟୋର ଓ ଅଲିଙ୍କ ଦୋକାନ ସମେତ ମୋଟ ୬ଟି ଦୋକାନର ତାଲା କାଟି ଦୁର୍ବୃତ୍ତମାନେ ଭିତରୁ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ପୀଡ଼ିତ ଦୋକାନୀମାନଙ୍କ ପକ୍ଷରୁ ବଣାଇଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଚୋରମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏହି ଖବର ଲେଖା ହେବା ସୁଦ୍ଧା କାହାରିକୁ ଗିରଫ କରାଯାଇପାରି ନାହିଁ। ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ, ‘ଓଡ଼ିଶା ବନ୍ଦ’ ଯୋଗୁଁ ସମସ୍ତ ପୋଲିସ କର୍ମଚାରୀ ଓ ହୋମଗାର୍ଡ ଦିନବେଳା କାର୍ଯ୍ୟରେ ନିୟୋଜିତ ଥିବାରୁ ରାତିରେ ପାଟ୍ରୋଲିଂ ସମ୍ଭବ ହୋଇପାରିନଥିଲା ବୋଲି ସେ କହିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନବେଳେ ଛକ ଛକରେ ଚେକିଂ କରୁଥିବା ପୋଲିସ ରାତିରେ ନିଷ୍କ୍ରିୟ ରହୁଥିବାରୁ ଚୋରମାନେ ସହଜରେ ସେମାନଙ୍କ କାଣ୍ଡ ଭିଆଉଛନ୍ତି। ଗତ କିଛି ଦିନ ହେବ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କଠାରୁ ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଥିବା ବେଳେ ଏବେ ରାତିରେ ମଧ୍ୟ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଦୁଇ ଦୁଇଟି ବ୍ୟାଙ୍କରେ ସୁରକ୍ଷାକର୍ମୀ ଥାଇ ମଧ୍ୟ ପାଖ ଦୋକାନରୁ ଚୋରି ହେବା ଘଟଣା ପୋଲିସର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି।

ତୁରନ୍ତ ଚୋରମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବ୍ୟବସାୟୀ ମହଲରେ ଦୃଢ଼ ଦାବି ହେଉଛି।

Leave A Reply

Your email address will not be published.