
ରାତି ଅଧିଆ ବନ୍ଦ ହେଲା ଓଟିଇଟି ପରୀକ୍ଷା । ନିରାଶ ହେଲେ ପରୀକ୍ଷାର୍ଥୀ । ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେବାର ଥିଲା ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି । ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୧ ଓ ପେପର ୨ ଦୁଇଟି ପେପରରେ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନିଆଯାଇଛି ନିଷ୍ପତ୍ତି । ଦୁଇଟି ସିଟିଂରେ ହେବାର ଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷା ସ୍ଥଗିତ ହେବା ପରେ ନିରାଶ ହୋଇଛନ୍ତି ପରୀକ୍ଷାର୍ଥୀ । ୭୫ ହଜାରରୁ ଅଧିକ ଆଶାୟୀ ଏହି ପରୀକ୍ଷା ଦେବାକୁ ଥିବାବେଳେ ରାତି ଅଧିଆ ଏମିତି ନିଷ୍ପତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ ମଧ୍ୟ କରାଯାଇଥିଲା ।
ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କାରଣରୁ ଏହି ସ୍ୱତନ୍ତ୍ର ଓଟିଇଟିକୁ ବନ୍ଦ ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମିଳିଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଛପା ଯିବା ସ୍ଥଳରୁ ହିଁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ କେହି ଜଣେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଘଟ ହୋଇଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ସହିତ ମେଳ ଖାଇବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟିକୁ ସ୍ଥଗିତ ରଖିବା ପାଇଁ ବାଧ୍ୟ ହୋଇଛନ୍ତି । ଏ ସମ୍ପର୍କରେ ବିଳମ୍ବିତ ରାତିରେ ଗଣମାଧ୍ୟମକୁ ଜଣାଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ।
ରତିଆଧିଆ ଓଟିଇଟି ପରୀକ୍ଷା ବାତିଲ ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୂରଦୂରାନ୍ତରୁ ଆସି ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରୀକ୍ଷାର୍ଥୀ । ବାରିପଦାଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାରିପଦା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ OTET ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଆଜି ସକାଳୁ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିଥିବା ବେଳେ ଫାଟକରେ ପରୀକ୍ଷା ବାତିଲ ନେଇ ନୋଟିସ ଲଗାଯାଇଥିବା ଦେଖିଥିଲେ ପରୀକ୍ଷାର୍ଥୀ । ଦୂରଦୂରାନ୍ତରୁ ଆସି ରାତିରେ ହୋଟେଲରେ ରହି ଖର୍ଚ୍ଚାନ୍ତ ହୋଇ ସକାଳୁ ପରୀକ୍ଷା ବାତିଲ ନେଇ ଜାଣି ଅସନ୍ତୋଷ ପ୍ରକାଶ କରିଛନ୍ତି । ହଠାତ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି ଶହ ଶହ ସଂଖ୍ୟାରେ ଆସିଥିବା ପରୀକ୍ଷାର୍ଥୀ ।