ଛାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା: ସିବିଏସ୍‌ଇ ମଡେଲ୍ ଆପଣାଇବେ ରାଜ୍ୟ ସରକାର, ସ୍କୁଲରେ ଲାଗିବ ସିସିଟିଭି

add-all

ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ଅନୁସରଣ କରାଯାଉଥିବା ସୁରକ୍ଷା ମାନଦଣ୍ଡ ଭଳି ଓଡ଼ିଶାର ସ୍କୁଲମାନଙ୍କରେ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ତରରେ ବିଚାରବିମର୍ଶ ଆରମ୍ଭ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ରାଜ୍ୟ ସରକାର ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସୁଛନ୍ତି। ଏହି କ୍ରମରେ ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୁନିଶ୍ଚିତ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, “ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସ୍କୁଲରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସେହି କମିଟିଗୁଡ଼ିକୁ କିପରି ଅଧିକ ସକ୍ରିୟ କରାଯିବ ଏବଂ କୌଣସି ଅଭିଯୋଗ ଆସିଲେ କିପରି ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି।”

ଏହା ସହିତ ସିବିଏସ୍‌ଇ ସ୍କୁଲମାନଙ୍କ ଭଳି ରାଜ୍ୟର ସରକାରୀ ବିଦ୍ୟାଳୟ ପରିସରରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବାକୁ ଯୋଜନା କରାଯାଉଛି। ମନ୍ତ୍ରୀ କହିଛନ୍ତି, “ସିବିଏସ୍‌ଇ ଭଳି ଆମ ସ୍କୁଲମାନଙ୍କରେ ସିସିଟିଭି ଲଗାଇବା ଏବଂ ଅନ୍ୟାନ୍ୟ ସୁରକ୍ଷା ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ସ୍କୁଲ ପରିସରରେ ଘଟୁଥିବା ଘଟଣା ଉପରେ ନଜର ରଖାଯାଇପାରିବ ଏବଂ ଏହା ଏକ ପ୍ରତିଷେଧକ ଭାବରେ ମଧ୍ୟ କାର୍ଯ୍ୟ କରିବ।”

ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ଏହି ସମସ୍ତ ପ୍ରସ୍ତାବ ଉପରେ ବିଭାଗୀୟ ସ୍ତରରେ ବିଚାରବିମର୍ଶ ଚାଲିଛି ଏବଂ ଖୁବ୍‌ଶୀଘ୍ର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକାରୀ କରାଯିବ।

ad-week
Leave A Reply

Your email address will not be published.