
କଟକ : କମିଶନରେଟ ପୋଲିସକୁ ବଡ ସଫଳତା । ପାଞ୍ଚଟି ବନ୍ଧୁକ ଜବତ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଏକ ଅପରାଧୀ ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ ଧରିଛି କମିଶନରେଟ ପୋଲିସ । ୧୩ ଟି ଜୀବନ୍ତ ଗୁଳି, ତିନିଟି ମୋବାଇଲ ଫୋନ୍ ମଧ୍ୟ ଜବତ୍ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ରେଡ କରିଥିଲା ପୋଲିସ। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ ଦୈତନଗରୀ ପୋଲିସ କମିଶନର ।
ମାଲଗୋଦାମ ଥାନା ଏବଂ ସ୍ପେଶାଲ୍ ସ୍ଵାଡ ମିଳିତ ଭାବେ ରେଡ କରି ପ୍ରଥମେ, ଦେବଦତ୍ତ ସିଂ ବେହେରା ନାମକ ଯୁବକକୁ ଏକ ବନ୍ଧୁକ ସହ ଧରିଥିଲେ । ସେ ବିହାରରୁ ବନ୍ଧୁକ ଆଣି କିଛି ବ୍ୟକ୍ତି ଙ୍କୁ ବିକ୍ରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ଏହା ପରେ କମିଶନରେଟ ପୋଲିସ ବନ୍ଧୁକ କିଣି ଥିବା ମାଲଗୋଦାମ ଥାନା ଅଞ୍ଚଳର ଆଉ ପାଞ୍ଚ ଜଣ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।
ସେମାନେ ହେଲେ ପୀୟୂଷ ରେଡୀ, ବିଜୟ ରାଓ, ଜ୍ୟୋତି ରଞ୍ଜନ ନାୟକ, ତପନ ସେଠୀ ଓ ବଦ୍ରି ନାଥ ବେହେରା । ଦେବଦତ୍ତ ସିଂ ବେହେରା ନାଁ ରେ ପୂର୍ବରୁ ଏକାଧିକ ଥାନାରେ ୪ ଟି ମାମଲା ଥିବା ବେଳେ, ବିଜୟ ରାଓ ନାଁ ରେ ପୂର୍ବରୁ ଏକାଧିକ ଥାନାରେ ୧୪ ଟି ମାମଲା ରହିଛି । ସେହିପରି ଅନ୍ୟାନ୍ୟ ଗିରଫ ଅଭିଯୁକ୍ତଙ୍କ ନାଁ ରେ ମଧ୍ୟ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ମିଳିଛି ।
ଅନ୍ତ ରାଜ୍ୟ ବନ୍ଧୁକ କାରବାର ଉପରେ କମିଶନରେଟ ପୋଲିସର କଡା ନଜର ରହିଥିବା ପୋଲିସ କମିଶନର କହିଛନ୍ତି । ଜବତ୍ ହୋଇଥିବା ବନ୍ଧୁକ ଗୁଡ଼ିକ 7.65 ଏମ ଏମ ବନ୍ଧୁକ ବୋଲି ଜଣାପଡିଛି । ଆଗକୁ ପାର୍ବଣ ଥିବାରୁ ଅପରାଧ ଘଟାଇବା ପାଇଁ ଏବେ ଠାରୁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ଗ୍ୟାଙ୍ଗ।