
ପୁରୀ : ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପଡିଛି ପୁରୀ ପୋଲିସ । ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ଭିତରେ ପୀଡିତା ଦେଇଥିବା ବୟାନରେ ଫରକ ଥିବା ସୂଚନା ମିଳିଛି । ସେଥିପାଇଁ ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ ହେବ ବୋଲି କୁହାଯାଇଛି । ପୀଡିତା ସୁସ୍ଥ ହେବାପରେ ହିଁ ଘଟଣା ଉପରୁ ସସପେନ୍ସ ଉଠିପାରିବ । ତେଣୁ ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଞ୍ଚ ଟିମ ସହ ପୁରୀ ଏସପି ଏ ବାବଦରେ ଆଲୋଚନା କରିଛନ୍ତି । ଆଜି ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଏସପିଙ୍କ ବିଚାରବିମର୍ଶ ହୋଇଛି । ପୁରୀ ପୋଲିସକୁ ତଦନ୍ତରେ କ୍ରାଇମବ୍ରାଞ୍ଚ ନିଜଆଡୁ ସହଯୋଗ କରି ଏହି ସବୁ ତଥ୍ୟ ଦେଇଛି ।
କିଛିଦିନ ତଳେ ବଳଙ୍ଗାରେ ଜଣେ ଛାତ୍ରୀ ସାଙ୍ଗଘରକୁ ଯାଉଥିବା ବେଳେ ୩ଜଣ ଦୁବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପୀଡିତା ସେଠାରେ ସୁସ୍ଥ ହୋଇ ଆସୁଛନ୍ତି । ତେବେ ଭୁବନେଶ୍ୱରରେ ସେ ଦେଇଥିବା ବୟାନ ଓ ବର୍ତ୍ତମାନ ଦେଇଥିବା ବୟାନ ମଧ୍ୟରେ କିଛି ଫରକ ଆସୁଥିବା କୁହାଯାଇଛି । ତେଣୁ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଆସିବା ପରେ ଘଟଣା ବାବଦରେ ଜଣାପଡିବ ବୋଲି ସୂଚନା ମିଳିଛି ।