
ଭୁବନେଶ୍ବର: ବାଲେଶ୍ୱରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ପରେ ଦଳ ତାଙ୍କୁ ନିଲମ୍ବିତ କରିଛି । ଅମରେଶ ଜେନାଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ ବିରୋଧରେ ଜିଲ୍ଲା ସଭାପତି ଭାବେ ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଅମରେଶ ଜେନାଙ୍କୁ ଗିରଫ କରାଯିବା ମାତ୍ରେ ଦଳ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅଶୋକ ଚନ୍ଦ୍ର ପଣ୍ଡା ଆହୁରି କହିଛନ୍ତି ଯେ, ବିଜେଡି ସବୁବେଳେ ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଆସିଛି । ଅମରେଶ ଜେନାଙ୍କ ନିଲମ୍ବନ ଦଳର ସମ୍ମାନ ଓ ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆଇନ ନିଜର ବାଟରେ ଚାଲିବ ଏବଂ ବିଜେଡି ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ ।
ଏହି ଘଟଣା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ଦଳୀୟ ଶୃଙ୍ଖଳା କମିଟି ଏହାର ତଦନ୍ତ କରିବ । କର୍ମ ଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେଡିର ପୂର୍ବତନ କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆସିଛି । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଲକ୍ଷ୍ମୀସାଗର ଥାନା ପୋଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି । ଗତକାଲି ପ୍ରଥମେ ଏଥିରେ କମିସନରେଟ୍ ପୋଲିସ୍ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଥିଲେ । ଯିଏକି ଅମରେଶଙ୍କୁ ଘଟଣାରେ ଫେରାର ହେବା ପାଇଁ ସହଯୋଗ କରିଥିଲେ । ଆଉ ଆଜି ଅମରେଶଙ୍କୁ ଗରିଫ କରିଛି ପୋଲିସ ।