
ଭୁବନେଶ୍ବର: ରାଜ୍ୟରେ ଏବେ ନାରୀ ନିର୍ଯାତନା, ଦୁଷ୍କର୍ମ ଭଳି ଖବର ଶୀର୍ଷରେ ରହିଥିବା ବେଳେ, ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଲଗାତାର ଏନେଇ ଏବେ ଘେରି ଆସୁଥିଲେ । କିନ୍ତୁ ବିଡମ୍ବନାର ବିଷୟ, ଗତ କିଛି ଦିନ ହେବ, ଏଥିପାଇଁ ଦୁଇ ଦଳ ଖବରର ଶିରୋନାମାରେ ଅଛନ୍ତି । କଂଗ୍ରେସର ଛାତ୍ର ସଭାପତି ନେତା ଉଦିତ୍ ପ୍ରଧାନ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ବିଜେଡିର ପୂର୍ବତନ କର୍ପୋରେଟର ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ କରିଛି କମିଶନରେଟ ପୋଲିସ୍ । ଯାହାକୁ ନେଇ ଏବେ ଦୁଇ ବିରୋଧୀ ଦଳଙ୍କୁ କଡା ଟାର୍ଗେଟ କରିଛି ଶାସକ ଦଳ ବିଜେପି ।
ଅମରେଶ ଜେନା ଗିରଫ ଘଟଣା ଓ ପ୍ରମିଳା ମଲ୍ଲିକଙ୍କ ରାଷ୍ଟ୍ରପତି ଶାସନ ମନ୍ତବ୍ୟରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ ପ୍ରେସମିଟ କରି କହିଛନ୍ତି, ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର । କେହି ଯଦି ମହିଳା ହିଂସା କିମ୍ବା ଦୁଷ୍କର୍ମର ଶିକାର ହୁଏ ସରକାର କେବେ ଛାଡ଼ିନାହାନ୍ତି କି ଛାଡ଼ିବେ ନାହିଁ । ସେ ଯେକୌଣସି ଲୋକ ହୁଅନ୍ତୁ । ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଭିତରେ ବୋଧହୁଏ ମହିଳା ଦୁଷ୍କର୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଛାତ୍ର କଂଗ୍ରେସ ସଭାପତି ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଜେଲରେ ଅଛନ୍ତି । ବିଜେଡି କର୍ପୋରେଟର ଆଜି ଦୁଷ୍କର୍ମ ଘଟଣାରେ ଜେଲ ଯାଉଛନ୍ତି, ଲୋକ ଦେଖୁଛନ୍ତି । ଉଭୟ ରାଜନୈତିକ ଦଳ ଏବଂ ତାଙ୍କ ମୁଖିଆମାନେ ଯେଉଁଭଳି ପ୍ରତିକ୍ରିୟା ଦେବା କଥା ସେମିତି ଦେଉନାହାନ୍ତି । ସେମାନଙ୍କ ଇତିହାସରେ ବୋଧ ହୁଏ ସେୟା ଅଛି ।ଅତୀତରେ କଂଗ୍ରେସ ସରକାର ଏବଂ ବିଜେଡି ସରକାର ସମୟର ଯେଉଁଭଳି ଘଟଣା ସବୁ ମହିଳାଙ୍କ ପ୍ରତି ଘଟିଥିଲା ଆମେ ଦେଖିଛେ ବୋଲି କହି ବୋଲି କହି କଡା ସମାଲୋଚନା କରିଛନ୍ତି ବିରଞ୍ଚି ।
ବିଶେଷ କରି ଏଫଏମ ଏବଂ ବଳଙ୍ଗା ଘଟଣା ପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ କଡା ଜବାବ ରଖିଛନ୍ତି ବିରଞ୍ଚି । କହିଛନ୍ତି, ମହିଳା ହିଂସାରେ କାହାକୁ ଛଡ଼ାଯାଇନାହିଁ । ବିଜେଡି ସମୟରେ କୁନ୍ଦୁଲି ଘଟଣା ସମସ୍ତେ ଦେଖିଛେ । ସରକାର ତାକୁ ପାଗଳ ବୋଲି ଘୋଷଣା କରିବାକୁ ଚେଷ୍ଟା କଲେ । ପ୍ରତି ମାସରେ କୁନ୍ଦୁଳିଠୁ ବଡ଼ ଘଟଣା ଘଟିଥିଲା । କାହିଁକି ସେତେବେଳେ ଚୁପ୍ ରହିଥିଲେ ତାର ଉତ୍ତର ଦିଅନ୍ତୁ । ନବ ଦାସ ଘଟଣାରେ କାହିଁକି ଚୁପ୍ ଥିଲେ ଉତ୍ତର ଦିଅନ୍ତୁ । ବିଜେପି ସରକାର ଆସିବା ପରେ କୌଣସି ଦୋଷୀଙ୍କୁ ଛଡ଼ା ଯାଇନାହିଁ ।
ସେପଟେ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା, ଅମରେଶ ଜେନାଙ୍କ ଗିରଫ ପରେ ମୁହାଁ ଖୋଲିଛନ୍ତି । କହିଛନ୍ତି, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ ବିରୋଧରେ ଜିଲ୍ଲା ସଭାପତି ଭାବେ ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଅମରେଶ ଜେନାଙ୍କୁ ଗିରଫ କରାଯିବା ମାତ୍ରେ ଦଳ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅମରେଶ ଜେନାଙ୍କ ନିଲମ୍ବନ ଦଳର ସମ୍ମାନ ଓ ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆଇନ ନିଜର ବାଟରେ ଚାଲିବ ଏବଂ ବିଜେଡି ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଏହି ଘଟଣା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ଦଳୀୟ ଶୃଙ୍ଖଳା କମିଟି ଏହାର ତଦନ୍ତ କରିବ । କର୍ମ ଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ । ବିଜେଡି ସବୁବେଳେ ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଆସିଛି । ସରକାରରେ ଥିବା ବେଳେ ଏବଂ ଏବେ ବିରୋଧୀରେ ଥାଇ ମଧ୍ୟ, ଯାହା ଅନ୍ୟ ଦଳରେ ନାହିଁ ବୋଲି କହି ବିଜେପିକୁ ଇସାରା କରିଛନ୍ତି ।