ସଂସଦରେ ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଲେ ସରକାର, ଯୁଦ୍ଧବିରତି କାହିଁକି କଲ ପ୍ରଶ୍ନ କରି ଘେରିଲେ ବିରୋଧୀ

youtube

ଲୋକସଭାରେ ସୋମବାର ଅପରେସନ ‘ସିନ୍ଦୂର’ ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରି ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଛନ୍ତି। ତେବେ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରି ଘେରିଛନ୍ତି। ଯୁଦ୍ଧ ବିରତି କାହିଁକି କଲ ? ଏବେ ପିଓକେ ଆଣିବାନି ତ କେବେ ଆଣିବା ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ବିରୋଧୀ।

ଆଲୋଚନା ସମୟରେ ରାଜନାଥ କହିଥିଲେ, ଅପରେସନ ‘ସିନ୍ଦୂର’ରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଅଧିକ ଆତଙ୍କୀ, ସେମାନଙ୍କ ହ୍ୟାଣ୍ଡଲର ଏବଂ ପ୍ରଶିକ୍ଷକ ନିପାତ ହୋଇଛନ୍ତି। ଅପରେସନ ‘ସିନ୍ଦୂର’ ବନ୍ଦ ହୋଇନାହିଁ। ଏହା ସ୍ଥଗିତ ରହିଛି। ଭବିଷ୍ୟତରେ ପାକିସ୍ତାନ ତରଫରୁ କୌଣସି ଆତଙ୍କୀ ଆକ୍ରମଣ ହେଲେ ଏହାକୁ ଆରମ୍ଭ କରାଯିବ।

ତେବେ ଆଲୋଚନା କାଳରେ ରାଜନାଥ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟ​ରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ରାଜନାଥ କହିଥିଲେ, ଭାରତୀୟ ସେନା ଯେତେବେଳେ ପାକିସ୍ତାନ ସୈନ୍ୟ ଠିକଣାଗୁଡ଼ିକୁ ଟାର୍ଗେଟ କଲା ସେତେବେଳେ ପଡ଼ୋଶୀ ଦେଶ ସମ୍ପୂର୍ଣ୍ଣ ହାର୍ ମାନି ସାରିଥିଲା। ଏହା ପରେ ପାକିସ୍ତାନ ତରଫରୁ ଯୁଦ୍ଧବିରତି ପାଇଁ ଗୁହାରି କରାଯାଇଥିଲା। ରାଜନାଥଙ୍କ କଥା ନ ସରୁଣୁ ରାହୁଲ ତୁରନ୍ତ ଆସନରୁ ଉଠି ଆପଣ ଅପରେସନକୁ କାହିଁକି ରୋକିଥିଲେ ବୋଲି ପ୍ରଶ୍ନ କରିଥିଲେ। ରାହୁଲଙ୍କ ମନ୍ତବ୍ୟ ସହିତ ବିରୋଧୀ ସାଂସଦମାନେ ବି ଗୃହରେ ପାଟି କରିଥିଲେ। ତେବେ ରାଜନାଥ କହିଥିଲେ ମୋର ସମ୍ପୂର୍ଣ୍ଣ କଥା ଶେଷ ହେବାକୁ ଦିଅନ୍ତୁ, ମୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛି।

ଏହା ପରେ ରାଜନାଥ କହିଥିଲେ, କାହା ଚାପରେ ଅପରେସନ ରୋକାଯାଇଥିଲା ତାହା କହିବା ଭୁଲ। ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଥିଲା। ଯୁଦ୍ଧ କରିବା ଭାରତର ଉଦ୍ଦେଶ୍ୟ ନ ଥିଲା। ବରଂ ଆତଙ୍କବାଦୀଙ୍କୁ ପ୍ରକ୍ସି ଭଳି ବ୍ୟବହାର କରୁଥିବା ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ଲାଗି ଅପରେସନ ‘ସିନ୍ଦୂର’ ଆରମ୍ଭ କରାଯାଇଥିଲା।

ତେବେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ କବଜା କରିବା ଲାଗି ଭାରତ ପାଇଁ ଏହା ଉପଯୁକ୍ତ ସମୟ ଥିଲା। ଅପରେସନକୁ ବନ୍ଦ କରାଯିବା ଉଚିତ ନ ଥିଲା। ଏବେ ପିଓକେ ଆଣିବାନି ତ କେବେ ଆଣିବା ବୋଲି ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ କରି ହୋହଲ୍ଲା କରିଥିଲେ।

Leave A Reply

Your email address will not be published.