
ଜଗତସିଂହପୁର: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଗୋପିଆକୁଦ କୁଜଙ୍ଗ ଅଞ୍ଚଳରେ ଏଭଳି ଖବର ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ରୀ ଜଣକ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ବର୍ତ୍ତମାନ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି ।
ଖବର ମୁତାବକ, କୁଜଙ୍ଗ ଥାନା ଗଣ୍ଡକିପୁର ଅଞ୍ଚଳର ଜନୈକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ କାଲି ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହାପରେ ଘରଲୋକେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେ ଗର୍ଭବତୀ ଥିବା ଜଣାପଡିଥିଲା l
ପରେ ତାଙ୍କର ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିରେ ଛାତ୍ରୀ ଜଣକ ଏକ ଅସଂପୂର୍ଣ୍ଣ ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଥିଲା ।
ତେବେ ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ଉଠାଇନେଇ ଅଟକ ରଖିଥିବା ଜଣାପଡିଛି l ସେଥିମଧ୍ୟରୁ ଜଣେ ନାବାଳକ ରହିଥିବା ଜଣାପଡିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଘର ଏରସମା ଅଞ୍ଚଳରେ ହୋଇଥିବାବେଳେ, ଅନ୍ୟ ଜଣକ ଘର ଦୁଆଡିଆ ବାଲିସାହିରେ ବୋଲି ଜଣାପଡିଛି ।