ଅପରେସନ ସିନ୍ଦୂରରେ ବିମାନ ନଷ୍ଟ ନେଇ ଜବାବ ରଖିଲେ ରାଜନାଥ, କହିଲେ-ପରୀକ୍ଷାର ଫଳ ଗୁରୁତ୍ୱପୂର୍ଣ୍ଣ, ପେନସିଲ ଭାଙ୍ଗିବା ନୁହେଁ

ନୂଆଦିଲ୍ଲୀ ୨୮।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ସାମରିକ ଅଭିଯାନ କାଳରେ ଭାରତୀୟ ବାୟୁସେନାର କେତୋଟି ବିମାନ ନଷ୍ଟ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ଗୃହରେ ଏହାର ଜବାବ ରଖିଛନ୍ତି ରାଜନାଥ, କହିଛନ୍ତି ଲାଗୁଛି ବିରୋଧୀ ଦଳଙ୍କ ଏହି ପ୍ରଶ୍ନ ଜାତୀୟ ଜନଭାବନାର ଉଚିତ ପ୍ରତିନିଧିତ୍ୱ କରୁ ନାହିଁ।
ରକ୍ଷାମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଥରେ ବି ଆମକୁ ପଚାରି ନାହାନ୍ତି ଆମ ସେନା ଶତ୍ରୁର କେତେ ବିମାନ ନଷ୍ଟ କରିଛନ୍ତି। ରାଜନାଥ କହିଛନ୍ତି ଯେ ଯଦି ପ୍ରଶ୍ନ କରିବାର ଅଛି, ତେବେ ସେମାନଙ୍କ ପ୍ରଶ୍ନ ଏହା ହେବା ଦରକାର ଭାରତ ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିଛି କି? ଏହାର ଉତ୍ତର ହେଉଛି ହଁ। ମୁଁ ବିପକ୍ଷଙ୍କୁ କହିବାକୁ ଚାହୁଁଛି କି ଆପଣଙ୍କୁ ପ୍ରଶ୍ନ କରିବାର ଅଛି ତ ଏହା ପଚାରନ୍ତୁ ଅପରେସନ ସିନ୍ଦୂର ସଫଳ ହୋଇଛି କି, ଏହାର ଉତ୍ତର ହେଉଛି ହଁ।
ରାଜନାଥ କହିଛନ୍ତି ଯେ ଆପଣଙ୍କୁ ପ୍ରଶ୍ନ କରିବାର ଅଛି ତ ଏହି ପ୍ରଶ୍ନ କରନ୍ତୁ ଯେଉଁ ଆତଙ୍କବାଦୀ ଆମ ଭଉଣୀ, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିଦେଲେ ଆମେ ସେନା ଅପରେସନ ସିନ୍ଦୂରରେ ସେହି ଆତଙ୍କବାଦୀଙ୍କ ମାଲିକଙ୍କୁ ପୋଛି ପାରିଛି କି? ଏହାର ଉତ୍ତର ହେଉଛି ହଁ। ଲକ୍ଷ୍ୟ ଯେତେବେଳେ ବଡ଼ ସେତେବେଳେ ଅପେକ୍ଷାକୃତ ଛୋଟ ପ୍ରସଙ୍ଗ ଉପରକୁ ଆମର ଧ୍ୟାନ ଯିବା ଉଚିତ ନୁହେଁ , କାରଣ ଛୋଟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଗଲେ ଦେଶର ସୁରକ୍ଷା ଓ ସୈନିକଙ୍କ ସମ୍ମାନ ଏବଂ ଉତ୍ସାହ ଭଳି ବଡ଼ ପ୍ରସଙ୍ଗରୁ ଧ୍ୟାନ ହଟିପାରେ, ଯେପରି ବିରୋଧୀ ଦଳର ଆମର କିଛି ସାଥୀଙ୍କ ସହ ହେଉଛି ବୋଲି ରାଜନାଥ କହିଛନ୍ତି।
ରାଜନାଥ କହିଛନ୍ତି ଯେ କୌଣସି ପରୀକ୍ଷାର ରେଜଲ୍ଟ ମ୍ୟାଟର କରିଥାଏ। ଯଦି କୌଣସି ପରୀକ୍ଷାରେ ଛାତ୍ର ଭଲ ମାର୍କ ନେଇ ଆସେ ଆମ ଲାଗି ତାର ମାର୍କସ୍ ମ୍ୟାଟର ହେବା ଦରକାର। ତେବେ ଏଥି ପ୍ରତି ଧ୍ୟାନ ଦିଆଯାଏ ନି ଯେ ପରୀକ୍ଷା ବେଳେ ତାର ପେନସିଲ ଭାଙ୍ଗି ଯାଇଥିଲା ଅଥବା ପେନ ହଜି ଯାଇଥିଲା। ଯେହେତୁ ରେଜଲ୍ଟ ମ୍ୟାଟର କରେ ଏଥିରେ ରେଜଲ୍ଟ ହେଉଛି ଯେ ଅପରେସନ ସିନ୍ଦୂର କାଳରେ ଆମେ ସେନା ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଥିଲା ସେହି ସବୁ ଲକ୍ଷ୍ୟକୁ ଆମେ ସମ୍ପୂର୍ଣ୍ଣ ହାସଲ କରିଛୁ।
ସେ କହିଛନ୍ତି ଯେ ‘ଭାରତ ସର୍ବଦା ନିଜର ପଡୋଶୀ ଦେଶମାନଙ୍କ ସହ ମିତ୍ରତା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବଦ୍ଧର ଇଛା ରଖେ। ଏଥି ଲାଗି ଭାରତରେ ଏ ପର୍ଯ୍ୟନ୍ତ ଶାସନ କରିଥିବା ବିଭିନ୍ନ ସରକାର ବିଶ୍ୱସ୍ଥତାର ସହିତ ପ୍ରୟାସ ମଧ୍ୟ କରିଛନ୍ତି। ଲାଲବାହାଦୂର ଶାସ୍ତ୍ରୀଙ୍କ ସରକାର ହେଉ ବା ଅଟଳ ବିହାରୀ ବାଜେପୟୀଙ୍କ ସରକାର, ମନମୋହନ ସିଂହଙ୍କ ସରକାର ଅଥବା ନରେନ୍ଦ୍ର ମୋଦିଙ୍କ ସରକାର ସମସ୍ତେ ଚାହିଁଛନ୍ତି ଏହି ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ସ୍ଥାପିତ ହେଉ। ୨୦୧୫ ମସିହାରେ ଯେବେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଯାଇ ନୱାଜ ସରିଫଙ୍କୁ ଭେଟିଲେ ଭାରତ ପୁଣି ଥରେ ବନ୍ଧୁତ୍ୱର ହାତ ବଢାଇଥିଲା। ଆମେ ବାସ୍ତବରେ ଶାନ୍ତିର ରାସ୍ତାରେ ଚାଲିବାକୁ ଚାହିଁଥିଲୁ କାହିଁକି ନା ଏହା ଆମର ମୂଳ ପ୍ରକୃତି। ଆମର ମୂଳ ପ୍ରକୃତି ବୁଦ୍ଧଙ୍କର ଯୁଦ୍ଧର ନୁହେଁ’।
ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ମଧ୍ୟ ପାକିସ୍ତାନ ସହ ଶାନ୍ତି ସ୍ଥାପିତ କରିବା ପାଇଁ ଅନେକ ଉଦ୍ୟମ କରିଥିଲା, ହେଲେ ପରେ ଆମେ ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍, ୨୦୧୯ରେ ବାଲାକୋଟରେ ଏୟାରଷ୍ଟ୍ରାଇକ୍ ଓ ୨୦୨୫ରେ ଅପରେସନ ସିନ୍ଦୂର ଦ୍ୱାରା ଆମେ ଶାନ୍ତି ସ୍ଥାପନା ନିମନ୍ତେ ଦ୍ୱିତୀୟ ରାସ୍ତା ଆପଣେଇଛୁ। ଏବେ ଆମ ପ୍ରଧାନମନ୍ତ୍ରୀ ଓ ଆମ ସରକାରଙ୍କ ଷ୍ଟାଣ୍ଡ ବିଲକୁଲ ସ୍ପଷ୍ଟ ଆତଙ୍କବାଦ ଓ ଆଲୋଚନା ଏକ ସାଙ୍ଗରେ ହୋଇ ପାରିବ ନାହିଁ। କାରଣ ସଭ୍ୟ ଦେଶଙ୍କ ସହ ଆଲୋଚନା ହୁଏ।