ସୀମାନ୍ତରେ ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ) ଏବଂ କୋବ୍ରା ବାଟାଲିୟନ-୨୧୦ ଯବାନଙ୍କ ଏକ ମିଳିତ ଦଳ ଜୁଲାଇ ୨୯ ତାରିଖରେ ମାଲେପାଲି ଜଙ୍ଗଲରୁ ଦୁଇ ମହିଳା ନକ୍ସଲ ସମେତ ଛଅ ଜଣ ସକ୍ରିୟ ମାଓବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ଥିଲା। ଯବାନଙ୍କ ମିଳିତ ଦଳ ଧର୍ମପୁର ରାସ୍ତା ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସନ୍ଦିଗ୍ଧମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ। ପଚରାଉଚରା ସମୟରେ ସେମାନେ ମାଓ ସଂଗଠନରେ ଦୀର୍ଘ ଦିନ ଧରି ସକ୍ରିୟ ଭୂମିକାରେ ଥିବା ସ୍ୱୀକାର କରିଛନ୍ତି।

ଗିରଫ ମାଓବାଦୀଙ୍କ ନିକଟରୁ ଟିଫିନ୍ ବୋମା, ଡେଟୋନେଟର, କାର୍ଡେକ୍ସ ତାର, ବିଦ୍ୟୁତ୍ ଫ୍ୟୁଜ୍ ତାର,ମାଟି ଖୋଳିବା ଉପକରଣ ଏବଂ ମାଓ ସହିଦ ସପ୍ତାହ ସହିତ ଜଡିତ ପ୍ରଚାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାସାଗୁଡ଼ା ଥାନାରେ ବିସ୍ଫୋରକ ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। ସମସ୍ତଙ୍କୁ ବିଚାର ବିଭାଗୀୟ ରିମାଣ୍ଡରେ ବିଜାପୁର କୋର୍ଟରେ ହାଜର କରାଯାଇଛି। ଡିଆରଜି ଏବଂ କୋବ୍ରା-୨୧୦ର ଏହି ମିଳିତ କାର୍ଯ୍ୟାନୁଷ୍ଠାନକୁ ମାଓ ନେଟୱାର୍କକୁ ଦୁର୍ବଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବିବେଚନା କରାଯାଉଛି।

ad-week
Leave A Reply

Your email address will not be published.