
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ପୁଣି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏଠାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ କର୍ମଚାରୀ ଭବିଷ୍ୟନିଧି (ଇ.ପି.ଏଫ) ଏବଂ କର୍ମଚାରୀ ରାଜ୍ୟ ବୀମା (ଇ.ଏସ.ଆଇ) ବାବଦକୁ କଟାଯାଉଥିବା ଲକ୍ଷାଧିକ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ “ଅଭିରାମ କେୟାର ଟେକିଂ ଓ ଏକ୍ସପର୍ଟ ସର୍ଭିସ” ନାମକ ଏକ ଠିକା ସଂସ୍ଥା ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ମେଡିକାଲର ଆଟେଣ୍ଡାଣ୍ଟମାନେ। ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷ ଏବେ ଆକ୍ସନ ମୋଡକୁ ଆସିଥିବା ବେଳେ ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ସୂଚନାଯୋଗ୍ୟ ଏମ.କେ.ସି.ଜି ମେଡିକାଲରେ ହଜାର ହଜାର ରୋଗୀଙ୍କ ସେବାରେ ନିୟୋଜିତ ଥିବା ଆଟେଣ୍ଡାଣ୍ଟମାନଙ୍କ ଦରମାରୁ ପ୍ରତି ମାସରେ ଇ.ପି.ଏଫ ଓ ଇ.ଏସ.ଆଇ ବାବଦକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ କଟାଯାଇଥାଏ। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଖାତାରେ ଏହି ଟଙ୍କା ଜମା ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ୨୦୧୨ ମସିହାରୁ କାର୍ଯ୍ୟ କରୁଥିବା ସୁନିତା କୁମାରୀ ସାହୁଙ୍କ ପରି ଅନେକ କର୍ମଚାରୀ ଏହାର ଶିକାର ହୋଇଛନ୍ତି। ଗତ ୫ ବର୍ଷ ଧରି ତାଙ୍କ ଇ.ପି.ଏଫ ଓ ଇ.ଏସ.ଆଇ ଟଙ୍କା ଜମା ହୋଇନଥିବା ସେ ଜାଣିବାକୁ ପାଇଥିଲେ।
କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେମାନେ ଏ ବିଷୟରେ ଠିକା ସଂସ୍ଥାକୁ ପଚାରୁଛନ୍ତି, ସେମାନଙ୍କୁ ସଠିକ ତଥ୍ୟ ଦିଆଯାଉନାହିଁ, ବରଂ ନାଲିଆଖି ଦେଖାଇ ଚୁପ୍ କରାଇ ଦିଆଯାଉଛି। କାମରୁ ବାହାର କରିଦେବାର ଧମକ ମଧ୍ୟ ଦିଆଯାଉଥିବା କର୍ମଚାରୀମାନେ କହିଛନ୍ତି। ଏହା ବ୍ୟତୀତ, ଅନେକ କର୍ମଚାରୀଙ୍କର ବର୍ଷ ବର୍ଷ ଧରି ଦରମା ବୃଦ୍ଧି (ଇନକ୍ରିମେଣ୍ଟ) ମଧ୍ୟ ହେଉନାହିଁ।
ଆଟେଣ୍ଡାଣ୍ଟମାନଙ୍କଠାରୁ ଅଭିଯୋଗ ପାଇବା ପରେ ଏମ.କେ.ସି.ଜି ମେଡିକାଲ କର୍ତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ମେଡିକାଲ ଅଧୀକ୍ଷକ (ସୁପରିଟେଣ୍ଡେଣ୍ଟ) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ସେ ସମ୍ପୃକ୍ତ ଠିକା ସଂସ୍ଥା “ଅଭିରାମ କେୟାର ଟେକିଂ ଓ ଏକ୍ସପର୍ଟ ସର୍ଭିସ”କୁ ତୁରନ୍ତ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ନୋଟିସ ଅନୁଯାୟୀ, ଆସନ୍ତା ୭ ଦିନ ମଧ୍ୟରେ ସଂସ୍ଥାକୁ ଏହି ସମସ୍ତ ଅଭିଯୋଗ ଉପରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସନ୍ତୋଷଜନକ ଉତ୍ତର ନ ମିଳେ, ତେବେ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷକ ଚେତାବନୀ ଦେଇଛନ୍ତି।
ଏହି ସାଙ୍ଘାତିକ ଅଭିଯୋଗ ସମ୍ପର୍କରେ ଠିକା ସଂସ୍ଥାର ମତାମତ ଜାଣିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଦିନରାତି ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରୁଥିବା ଏହି ଠିକା କର୍ମଚାରୀମାନେ ନିଜର ହକ୍ ପାଇଁ ସଂଘର୍ଷ କରୁଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ କେବେ ନ୍ୟାୟ ମିଳିବ ଏବଂ ଶୋଷଣକାରୀ ସଂସ୍ଥା ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ଦେଖିବାକୁ ବାକି ରହିଲା।