ରାହୁଲଙ୍କୁ ରାଜନାଥଙ୍କ ଚ୍ୟାଲେଞ୍ଜ୍

add-all

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ଉପରେ ‘ଭୋଟ୍ ଚୋରି’ ଅଭିଯୋଗ ଆଣିଥିଲେ । ସଂସଦ ପରିସରରେ ଭାଷଣ ଦେବା ସମୟରେ ସେ କହିଥିଲେ ଯେ, ଆମ ପାଖରେ ଏପରି ପ୍ରମାଣର ପରମାଣୁ ବୋମା ଅଛି, ଯେତେବେଳେ ଏହା ଫୁଟିବ, ନିର୍ବାଚନ କମିସନ ଉଭେଇ ଯିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟର ଉପଯୁକ୍ତ ଉତ୍ତର ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ତଥ୍ୟ ନାହିଁ କିମ୍ବା କୌଣସି ପ୍ରମାଣ ନାହିଁ। କଂଗ୍ରେସ ନେତା ମିଥ୍ୟା ଅଭିଯୋଗ କରୁଛନ୍ତି ଏବଂ ଏହା ତାଙ୍କୁ ଶୋଭା ଦେଉନାହିଁ।
ରାଜନାଥ ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି, ଯଦି ରାହୁଲ ଗାନ୍ଧୀଙ୍କ ପାଖରେ ପ୍ରମାଣର ପରମାଣୁ ବୋମା ଅଛି ତେବେ ସେ ଏହାର ବିସ୍ଫୋରଣ କରିବାରେ ବିଳମ୍ବ କରିବା ଉଚିତ୍ ନୁହେଁ। ସେ କହିଛନ୍ତି, ନିର୍ବାଚନ କମିସନ ଏକ ସାମ୍ବିଧାନିକ ସଂଗଠନ। କଂଗ୍ରେସ ସାଂସଦ କମିସନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଛନ୍ତି।
ବିହାରରେ ନିର୍ବାଚନ କମିସନଙ୍କ ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ(ଏସଆଇଆର) ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା ଶୀର୍ଷରେ ପହଞ୍ଚିଛି। ବିରୋଧୀ ଦଳ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରୁଛନ୍ତି। ମାତ୍ର ଶାସକ ଦଳ ଏଥିପାଇଁ ପ୍ରସ୍ତୁତ ନୁହନ୍ତି। ଏହା ଯୋଗୁ ଗୃହର କାର୍ଯ୍ୟ ପ୍ରଭାବିତ ହେଉଛି। ଏହି ସମୟରେ, ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୁଦ୍ଧରେ ‘ଭୋଟ୍ ଚୋରି’ କରାଯାଉଥିବା ଅଭିଯୋଗ କରିଥିଲେ। ଏହାର ଜବାବ ରାଜନାଥ ସିଂହ ଦେଇଛନ୍ତି। ୦
ଜରୁରୀକାଳୀନ ପରିସ୍ଥିତିର କଥା କହି ରାଜନାଥ ସିଂହ କଂଗ୍ରେସକୁ ଉଚିତ୍ ଜବାବ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ କମିସନ ଭାରତର ଏକ ସାମ୍ବିଧାନିକ ସଂସ୍ଥା। ଯାହାଙ୍କର ନିଜସ୍ୱ ବିଶ୍ୱସନୀୟତା ଅଛି। ବିରୋଧୀ ଦଳ ନେତାଙ୍କୁ ଏହା ଶୋଭାପାଏ ନାହିଁ ଯେ, ସେ ଏହା ବିରୋଧରେ ଏପରି ଭିତ୍ତିହୀନ ଅଭିଯୋଗ ଆଣନ୍ତୁ। ରାଜନାଥ ସିଂହ କଂଗ୍ରେସ ସରକାର ସମୟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦଳ ୧୯୭୫ ମସିହାରେ ସମ୍ବିଧାନକୁ ହତ୍ୟା କରିବା ପାଇଁ ଦୋଷୀ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଭାବୁଛି ଭାରତର ପ୍ରତ୍ୟେକ ନାଗରିକ ଜାଣନ୍ତି ଯେ ୧୯୭୫ ମସିହାରେ କଂଗ୍ରେସ ସରକାର ସମୟରେ ସମ୍ବିଧାନକୁ କେତେ ନିଷ୍ଠୁର ଭାବରେ ଉପହାସ କରାଯାଇଥିଲା। ଏପରି ପରିସ୍ଥିତିରେ, ନିର୍ବାଚନ କମିସନଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ନକାରାତ୍ମକ ବକ୍ତବ୍ୟ ତାଙ୍କୁ ଶୋଭା ଦେଉନାହିଁ। ୦
ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନାଥ ସିଂହ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଯଦି ଆପଣଙ୍କ ପାଖରେ ପରମାଣୁ ବୋମାର ପ୍ରମାଣ ଅଛି, ତେବେ ତୁରନ୍ତ ଏହାର ପରୀକ୍ଷା କରନ୍ତୁ। ସମସ୍ତ ପ୍ରମାଣ ଜନସାଧାରଣଙ୍କ ସାମ୍ନାରେ ରଖନ୍ତୁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସତ୍ୟ ହେଉଛି ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ କିମ୍ବା କୌଣସି ତଥ୍ୟ ନାହିଁ। ଚାଞ୍ଚଲ୍ୟକର ମନ୍ତବ୍ୟ ଦେବା ତାଙ୍କର ପୁରୁଣା ଅଭ୍ୟାସ। ଦେଶର ଲୋଭଙ୍କୁ ଭ୍ରମିତ କରିବା ପାଇଁ କଂଗ୍ରେସ କାର୍ଯ୍ୟ କରୁଥିବା ରାଜନାଥ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.