ଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର: ୮ କିଲୋମିଟର ଦୂରରେ ଥିବା ସ୍କୁଲର ଦୁରାବସ୍ଥା, “ଦୀପ ତଳ ଅନ୍ଧାର” କହିଲେ ସ୍ଥାନୀୟ ଲୋକେ…

youtube

ଉମରକୋଟ/ଝରିଗାଁ: ଏହାକୁ “ଦୀପ ତଳ ଅନ୍ଧାର” ଛଡ଼ା ଆଉ କ’ଣ କୁହାଯାଇପାରେ? ଯେଉଁ ସ୍କୁଲ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉମରକୋଟ ସ୍ଥିତ ବାସଭବନରୁ ମାତ୍ର ୮ କିଲୋମିଟର ଦୂରରେ ଅବସ୍ଥିତ, ସେହି ସ୍କୁଲର ଅବସ୍ଥା ଯଦି ଏପରି ଶୋଚନୀୟ ହୋଇପାରେ, ତେବେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକର ସ୍ଥିତି କିଭଳି ଥିବ, ତାହା ସହଜରେ ଅନୁମେୟ। କାଗଜପତ୍ରରେ କୋଟି କୋଟି ଟଙ୍କାର ଖର୍ଚ୍ଚ ଦେଖାଇ ଶିକ୍ଷାର ବିକାଶ କଥା କୁହାଯାଉଥିବା ବେଳେ, ବାସ୍ତବରେ ଏହି ଚିତ୍ର ସରକାରୀ ଅର୍ଥର ଅପବ୍ୟବହାର ଏବଂ ଏକ ଲଜ୍ଜାଜନକ ଅବ୍ୟବସ୍ଥାକୁ ପଦାରେ ପକାଇଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧୋଡ୍ରା ପଞ୍ଚାୟତରେ ଥିବା ୧୯୯୧ ମସିହାରେ ସ୍ଥାପିତ “ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ”ର ଅବସ୍ଥା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଏଠାରେ ପିଲାମାନେ ଏକ ଭୟ ଓ ଅସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟର ରୋଷେଇ ଘର ଛାତରୁ ପାଣି ଗଳୁଛି, ପିଲାଙ୍କ ପାଇଁ ଡାଇନିଂ ହଲ୍ ନାହିଁ, ଚାରିଆଡ଼େ ଅଳିଆ ଆବର୍ଜନାର ଗଦା ଏବଂ ଶୌଚାଳୟର ଅବସ୍ଥା ଏତେ ଖରାପ ଯେ ତାହା ମାନବିକତାକୁ ଲଜ୍ଜିତ କରୁଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ସମସ୍ୟା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ମୁନଲାଇଟ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ପ୍ରସାଦ କୁମାର ଛାଟୋଇଙ୍କ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ସ୍କୁଲର ଅସ୍ୱାସ୍ଥ୍ୟକର ପରିବେଶ ବିଷୟରେ ଅଭିଯୋଗ କଲେ। ଶ୍ରୀ ଛାଟୋଇ ନିଜେ ସ୍କୁଲରେ ପହଞ୍ଚି ବାସ୍ତବ ସ୍ଥିତି ଦେଖିବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହି ସମସ୍ୟା ପ୍ରତି ଗଣଶିକ୍ଷା ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

ଅଭିଭାବକଙ୍କ ଅସନ୍ତୋଷ ଓ ପ୍ରଶ୍ନ:
ସ୍କୁଲ ପରିଚାଳନା କମିଟି ବୈଠକରେ ସମାରୁ ମାଝୀ, ପୁସ୍ତମ ହରିଜନ, ବିଜୟ ନନ୍ଦ ଖଣ୍ଡେଇ, ରାଜେଶ ଗୌଡ଼ଙ୍କ ଭଳି ବହୁ ଅଭିଭାବକ ଏହି ପ୍ରସଙ୍ଗ ଉଠାଇଥିଲେ। ସେମାନେ ନିଜ ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କଡ଼ା ପ୍ରଶ୍ନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଶୌଚାଳୟ ମରାମତି ପାଇଁ ସେ ପଞ୍ଚାୟତକୁ ଜଣାଇଛନ୍ତି। କିନ୍ତୁ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି, “ଯଦି ପଞ୍ଚାୟତକୁ ଅନୁରୋଧ କରାଯାଇଛି, ତେବେ ସ୍କୁଲ ପାଇଁ ପ୍ରତିବର୍ଷ ଆସୁଥିବା ସରକାରୀ ଅନୁଦାନ କେଉଁଠି ଖର୍ଚ୍ଚ ହେଉଛି?” ସେମାନେ ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷର ସମସ୍ତ ଖର୍ଚ୍ଚର ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାବି କରିଛନ୍ତି। ଏଥିସହ, ଗଣଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିଜେ ଆସି ସ୍କୁଲର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସେମାନେ ଦାବି କରିଛନ୍ତି।

ଶିକ୍ଷକଙ୍କୁ ନିର୍ଯ୍ୟାତନା ଅଭିଯୋଗ:..!
ଏହାରି ଭିତରେ ଏକ ଭିନ୍ନ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। କିଛି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପରିବେଶକୁ ଆଳ କରି କିଛି ଅଭିଭାବକ ସ୍କୁଲର ଶିକ୍ଷକମାନଙ୍କୁ ପୋଲିସ ଭଳି “ଟି.ଆଇ. ପିରିଅଡ” (ପଚରାଉଚରା) କରିବା ଆଦୌ ଠିକ୍ ନୁହେଁ। ଶିକ୍ଷକମାନଙ୍କୁ ଏଭଳି ମାନସିକ ନିର୍ଯାତନା ଦେବାକୁ ସେମାନଙ୍କୁ କିଏ ଅଧିକାର ଦେଲା, ତାହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା:
ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ କହୁଛନ୍ତି, “ମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଯଦି ଶିକ୍ଷା ବ୍ୟବସ୍ଥାର ଏପରି ଦୟନୀୟ ଚିତ୍ର, ତେବେ ରାଜ୍ୟର ଅନ୍ୟ ସ୍ଥାନରେ କ’ଣ ହେଉଥିବ, ତାହା ଚିନ୍ତା କରିବାକୁ ମଧ୍ୟ ଭୟ ଲାଗୁଛି।” ଏପରିକି, ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ନୂତନ ସରକାରରେ ଅଭିଜ୍ଞତା ନଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ଦିଆଯିବା ଯୋଗୁଁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେଉଛି।

ବର୍ତ୍ତମାନ ସମସ୍ତଙ୍କ ନଜର ସରକାରଙ୍କ ପଦକ୍ଷେପ ଉପରେ। ଧୋଡ୍ରା ସ୍କୁଲର ପରିବେଶ ଓ ପାଠପଢ଼ାରେ କେବେ ସୁଧାର ଆସିବ ଏବଂ ପିଲାମାନଙ୍କ ଭବିଷ୍ୟତ ସହ ଚାଲିଥିବା ଏହି ଖେଳ କେବେ ବନ୍ଦ ହେବ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.