
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କହିଛନ୍ତି, ସରକାର ସବୁ ପଦକ୍ଷେପ ନେଇଥିଲେ କିନ୍ତୁ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଏହା ସହ କାହା ଜୀବନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି କେ.ଭି ସିଂହଦେଓ ।
ସୂଚନାଯୋଗ୍ୟ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା । ଅଜଣା ଦୁର୍ବୃତ୍ତମାନେ ଅପହରଣ କରି ଜାଳି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ ।
ତାଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ପ୍ରଥମେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ଣ୍ଣ ୟୁନିଟରେ ଆଇସିୟୁରେ ରଖି ବିଶେଷଜ୍ଞ ଡାକ୍ତରୀ ଟିମ ଚିକିତ୍ସା କରିଥିଲେ ।
ଅଧିକ ଚିକିତ୍ସା ପାଇଁ ତାଙ୍କୁ ୨୦ ତାରିଖରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ରାଜ୍ୟ ସରକାର ତାଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ସହାୟତା କରିଥିଲେ। ଦିଲ୍ଲୀରେ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।