
ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ହଠାତ୍ ମୃତ୍ୟୁ ପରେ ଏବେ ଏହାକୁ ନେଇ ତେଜିଛି ରାଜନୀତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି-କଂଗ୍ରେସ । ବିଜେଡି ସରକାରଙ୍କୁ ନାରୀହନ୍ତା ବୋଲି ସମ୍ବୋଧନ କରିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ଯାହାର କଡା ଜବାବ ଦେଇଛି ବିଜେପି । ଶବ ଉପରେ ବିରୋଧୀ ରାଜନୀତି କରୁଛନ୍ତି କହି ବର୍ଷିଛି ଶାସକ ଦଳ ବିଜେପି ।
ତେବେ ଏହାକୁ ନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ କହିଛନ୍ତି, ମାସେ ଭିତରେ ଦୁଇ ଦୁଇଟି ଘଟଣା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଓଡ଼ିଶାରେ ନାରୀହନ୍ତା ସରକାର ଚାଲିଛି। ପୋଲିସ କିଛି କରୁନାହିଁ । ଯିଏ ଦୋଷୀକୁ ଧରିବେ ନାହିଁ, ସିଏ ଏ ସରକାରରେ ରହିବ। ମାଫିଆ ଷ୍ଟାଇଲରେ ଏଠି ଶାସନ ଚାଲିଛି। ମୃତ୍ୟୁ ପରେ ପୋଲିସ ଆତ୍ମହତ୍ୟା କରିଥିବା କହିବା ଅଧର୍ମ କାମ ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ସରକାର ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି। ଏହି ଘଟଣାରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି । ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥିରୁ ସ୍ପଷ୍ଟ ଯେ, ମହିଳା ଏଠି ସୁରକ୍ଷିତ ନୁହଁନ୍ତି । ଡବଲ ଇଞ୍ଜିନ୍ ସରକାର ଆଗକୁ ଯାଉନି ବରଂ ବିପରୀତ ଦିଗକୁ ଗଡୁଛି ବୋଲି ବିରୋଧୀ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ କହିଛନ୍ତି ।
ସେହପିରି କଂଗ୍ରେସ କହିଛି, ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଥିଲେ । ଝିଅର ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା । ଅନ୍ୟପଟେ ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ । ସରକାର ଏହି ମାମଲାକୁ ଚାପି ଦେବାକୁ ଚାହୁଛନ୍ତି । ୭ ଦିନ ଭିତରେ ଡିଜି ଯଦି ମାମଲାର ସମ୍ପୃକ୍ତି ଥିବା ୩ ଅଭିଯୁକ୍ତଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛି କଂଗ୍ରେସ । ପୋଲିସର ହଠାତ ରାତି ଅଧିଆ ଟ୍ୱିଟ୍ ଅନେକ ସନ୍ଦେହ ସୃଷ୍ଟି କରୁଛି । ଆକାଶରୁ ନିଆଁ ପଡି କଣ ପୀଡିଡା ଙ୍କ ମୃତ୍ୟୁ ହେଲା ? ପୀଡ଼ିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକର୍ଡିଙ୍ଗ ସାମ୍ନାକୁ ଅଣା ଯାଉ । ସରକାର ଘଣ୍ଟ ନ ଘୋଡ଼ାଇ ଅଭିଯୁକ୍ତଙ୍କୁ ଧରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ଅନ୍ୟପଟେ ବିଜେପି ଏହାକୁ ହୀନ ରାଜନୀତିର ଆଖ୍ୟା ଦେଇଛି । ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏହାସହିତ ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିଥିଲେ କି ? ଏହାସହ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ତାଙ୍କ ଘରେ ଜଣେ ମରି ଯାଇଥିଲେ ସେ ତା ଉପରେ କହିବେ କି ? ଏହା ସହିତ ଟୁକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭ ଉପରେ ଚୁପ୍ ରହିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମନୋଜ । ଖାଲି ସେତିକି ନୁହେଁ, ଲେଖାଶ୍ରୀଙ୍କୁ ଅଭ୍ୟାସଗତ ବିରୋଧୀ ବୋଲି କହିଥିଲେ ମନୋଜ ।