ମୋହନ ସରକାରଙ୍କୁ ମାନୁନି କି ଗୃହ ବିଭାଗ ? ବଢୁଥିବା ଛାତ୍ରୀ ଅସୁରକ୍ଷା ଓ ପ୍ରଶାସନିକ ଶିଥିଳତାକୁ ନେଇ ସାଧାରଣରେ ପ୍ରଶ୍ନ

youtube

ଭୁବନେଶ୍ୱର: ରାଜ୍ୟରେ ଏକ ବଡ଼ ପରିବର୍ତ୍ତନର ନାରା ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାରଙ୍କ ଶାସନରେ ମହିଳା ଓ ଛାତ୍ରୀ ସୁରକ୍ଷା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ଭିତରେ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ ନେଇ ଶୂନ୍ୟ ସହନଶୀଳତା କଥା କହୁଥିବା ବେଳେ, ଅନ୍ୟପଟେ ଦିନକୁ ଦିନ ଛାତ୍ରୀଙ୍କ ଆତ୍ମଦାହ, ହତ୍ୟା ଓ ଗଣଦୁଷ୍କର୍ମ ଭଳି ଘଟଣା ରାଜ୍ୟକୁ ଦୋହଲାଇ ଦେଉଛି। ଏଫ୍.ଏମ୍. କଲେଜ ଛାତ୍ରୀଙ୍କଠାରୁ ଆରମ୍ଭ କରି ଗୋପାଳପୁର ଗଣଦୁଷ୍କର୍ମ ପର୍ଯ୍ୟନ୍ତ, ପ୍ରତିଟି ଘଟଣା ସାରା ଦେଶରେ ଓଡ଼ିଶାକୁ ବଦନାମ କରୁଥିବା ବେଳେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ହାତରେ ଥିବା ଗୃହ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିରୋଧୀ ମହଲରେ ଏବେ ଜୋରଦାର ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପୋଲିସ ବିଭାଗ କିମ୍ବା ବରିଷ୍ଠ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ। ଶାସନର ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀରେ ରହିଥିବାରୁ ରାଜ୍ୟରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଦୌଡ଼ିବାକୁ ପଡୁଛି। ଏପରିକି, ମନ୍ତ୍ରୀମାନଙ୍କ କଥାକୁ ବରିଷ୍ଠ ଅଧିକାରୀମାନେ କେବଳ ‘ହଁ ଜି’ କହି ଏଡ଼ାଇ ଯାଉଥିବାରୁ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଆଲୋଚନା ହେଉଛି। ଏହାର ସୁଯୋଗ ନେଇ ଅପରାଧୀମାନେ ନିର୍ଭୟରେ ନିଜର କାୟା ବିସ୍ତାର କରିଚାଲିଛନ୍ତି।
ନୂତନ ସରକାର କ୍ଷମତାକୁ ଆସିବା ପରଠାରୁ କେବଳ ପୂର୍ବ ସରକାରଙ୍କ ଯୋଜନାର ନାମ ଓ ରଙ୍ଗ ବଦଳାଇବାରେ ହିଁ ସୀମିତ ରହିଥିବା ଦେଖିବାକୁ ମିଳୁଛି। ଡବଲ ଇଞ୍ଜିନ ସରକାର ଆସିଲେ ଲୋକଙ୍କ ଦୁଃଖ ଦୂର ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ବର୍ଦ୍ଧିତ ଦରଦାମ ବୃଦ୍ଧି, ବିଭିନ୍ନ ବିଭାଗରେ ଉନ୍ନୟନ କାର୍ଯ୍ୟରେ ମନ୍ଥରତା ଏବଂ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିଥିବା ପିସି କାରବାର ସାଧାରଣ ଲୋକଙ୍କ ପାଇଁ “ଡବଲ୍ ଦୁଃଖ” ଆଣିଦେଇଛି। ସାଧାରଣ ଲୋକଟିଏ ନ୍ୟାୟ ପାଇବା ପାଇଁ ଅଫିସରୁ ଅଫିସ ଦୌଡ଼ି ନୟାନ୍ତ ହେଉଥିବା ବେଳେ ନେତା ଓ ବାବୁମାନେ ନିଜର ପକେଟ୍ ଗରମ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି।
ଅଧିକାଂଶ ମନ୍ତ୍ରୀ କେବଳ “ବାକ୍ୟବୀର” ସାଜିଥିବା ବେଳେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟର କୌଣସି ପ୍ରତିଫଳନ ଦେଖିବାକୁ ମିଳୁନାହିଁ। ଏକ ବର୍ଷ ପୂରଣ ହେବା ପୂର୍ବରୁ ହିଁ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ରିପୋର୍ଟ କାର୍ଡରେ କଳା ବାଦଲ ଦେଖାଦେଇଥିବା ନେଇ ଏବେ ରାଜ୍ୟର ବିଭିନ୍ନ ଚା’ ଖଟିରୁ ରାଜଧାନୀର ପାୱାର କରିଡର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଯଦି ଆଗାମୀ ଦିନରେ ସରକାର କେବଳ ରଙ୍ଗ ଓ ନାମ ପରିବର୍ତ୍ତନ ରାଜନୀତିରୁ ବାହାରି ପ୍ରକୃତରେ ଆଇନଶୃଙ୍ଖଳା ଓ ଲୋକଙ୍କ ମୌଳିକ ସମସ୍ୟା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହରାଇବାକୁ ବେଶି ସମୟ ଲାଗିବ ନାହିଁ।

Leave A Reply

Your email address will not be published.