
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ତେବେ ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ରହିଛି । ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁବକଙ୍କ ନାଁରେ ବ୍ଲାକ୍ମେଲିଂ କରିଥିବା ଅଭିଯୋଗ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଅଟକ ରହିଥିବା ଅଭିଯୁକ୍ତ ହେଲା ବିଲିକଣା ପଞ୍ଚାୟତ ତେରୋଇ ଗାଁର ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା । ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୋଲିସ ।
ଅଭିଯୋଗ ଅନୁସାରେ, ଗତ ବୁଧବାର ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଜୀବନ ହାରିଥିଲେ ଛାତ୍ରୀ । ଛାତ୍ରୀଙ୍କ ସହ ବ୍ରେକଅପ ହୋଇ ସାରିଥିବା ଏହି ଯୁବକ ଜଣଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା ।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ”ଛାତ୍ରୀଙ୍କ ସହ ଯୁବକଙ୍କର ପୂର୍ବରୁ ବନ୍ଧୁତ୍ୱ ଥିଲା ଏବଂ ଏହି ସମ୍ପର୍କକୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିଲା। ଏହା ଘଟଣାର ମୂଳ କାରଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ସେପଟେ, ଗତକାଲି ଛାତ୍ରୀଙ୍କର ପୋଷ୍ଟମର୍ଟମ ସରିଥିବାବେଳେ, ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ଏହାକୁ ଆଧାର କରି ଅନ୍ୟାନ୍ୟ ଦିଗକୁ ମଧ୍ୟ ଖୋଳତାଡ଼ କରାଯିବ” ।
ଅନ୍ୟପଟେ, ଛାତ୍ରୀଙ୍କ ପରିବାର ଓ ସ୍ଥାନୀୟ ଲୋକେ ଏହି ଘଟଣାର ନିଷ୍ପତ୍ତି ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।