ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ବିଜେଡିର ରାସ୍ତାରୋକ, ସରକାରଙ୍କୁ ତୀବ୍ର ସମାଲୋଚନା

youtube

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଜଣେ ବିଏସ୍‌ସି ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ରାଜନୈତିକ ପରିବେଶ ଉଷ୍ମ ହୋଇଛି। ଏହି ଘଟଣାରେ ନ୍ୟାୟ ଦାବି କରି ଆଜି ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଇଘର ମୁଖ୍ୟ ବଜାର ଘାଟରେ ରାସ୍ତାରୋକ କରାଯାଇ ତୀବ୍ର ପ୍ରତିବାଦ କରାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୨୪ ଦିନ ପୂର୍ବରୁ ଛାତ୍ରୀଙ୍କର ଏକ ‘ଅଶ୍ଳୀଳ’ ଫଟୋକୁ ପଡୋଶୀ ଗ୍ରାମର ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣାରେ ଲଜ୍ଜା ଓ ମାନସିକ ଆଘାତରେ ପୀଡ଼ିତ ହୋଇ ସେ କୀଟନାଶକ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୀର୍ଘ ୨୪ ଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ।

ଏହି ପ୍ରତିବାଦ ସମୟରେ ବିଜେଡି କର୍ମୀମାନେ “ମୋହନ ସରକାର ଡାଉନ୍ ଡାଉନ୍” ଏବଂ “ଆଇନ ମନ୍ତ୍ରୀଙ୍କ ଇସ୍ତଫା” ଭଳି ସ୍ଲୋଗାନ ଦେଇ ସରକାରଙ୍କ ବିରୋଧରେ ରୋଷ ପ୍ରକାଶ କରିଥିଲେ। ବିଜେଡି ପକ୍ଷରୁ ଦୋଷୀଙ୍କୁ କଠୋର ଦଣ୍ଡ, ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଏବଂ ରାଜ୍ୟରେ ନାରୀ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି। ବର୍ତ୍ତମାନର ବିଜେପି ସରକାର ନାରୀ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ମୃତ ଛାତ୍ରୀଙ୍କ ମା’ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି, “ପୂର୍ବରୁ ଯେତେବେଳେ ଜୟପୁର ଟାଉନରେ ମୋ ଝିଅକୁ ମାଡ଼ ମରାଯାଇଥିଲା, ସେତେବେଳେ ଜୟପୁର ପୋଲିସ ଅଭିଯୁକ୍ତକୁ ଛାଡ଼ି ଦେଇଥିଲା। ଯଦି ସେହିଦିନ ତାକୁ କଠୋର ଦଣ୍ଡ ମିଳିଥାନ୍ତା, ଆଜି ମୋ ଝିଅ ବଞ୍ଚିଥାନ୍ତା।”

ଏହା ସହିତ ସେ କହିଛନ୍ତି ଯେ ଭୁବନେଶ୍ୱର AIIMSରେ ଚିକିତ୍ସା ସମୟରେ ସମସ୍ତ ଔଷଧ ସେମାନଙ୍କୁ ନିଜ ଟଙ୍କାରେ କିଣିବାକୁ ପଡ଼ିଥିଲା ଏବଂ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିଲା।

ସ୍ଥାନୀୟ ନେତା ସନରାଜ ଗଣ୍ଡ ଅଭିଯୋଗ କରିଛନ୍ତି ଯେ ରାଇଘର ଡାକ୍ତରଖାନାରେ ଡାକ୍ତର ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ କିମ୍ବା ଆନ୍ଧ୍ରପ୍ରଦେଶକୁ ପଠାଇବାକୁ ପଡୁଛି। ସରକାରୀ ସ୍ତରରେ ପୀଡ଼ିତାଙ୍କ ପରିବାରକୁ କୌଣସି ସହାୟତା ମିଳିନଥିବା ନେଇ ସେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.