ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ

youtube

ନୂଆଦିଲ୍ଲୀ:  ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । LAC ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ କରିବାକୁ ଯାଉଛି । ଏହି ବୃହତ ରେଳ ପ୍ରକଳ୍ପର କାମ ଚଳିତ ବର୍ଷ ଆରମ୍ଭ ହୋଇପାରେ । ଏହି ରେଳ ଲାଇନ୍ ତିବ୍ବତର ଲାସାକୁ କେନ୍ଦ୍ର କରି ନିର୍ମାଣ କରାଯାଉଛି ।

ଏହି ରେଳ ଲାଇନ ସିନଜିଆଙ୍ଗର ହୋଟାନ୍ ସହରକୁ ତିବ୍ବତର ଲାସା ସହ ସଂଯୋଗ କରିବ । ୨୦୩୫ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରେଳପଥ ନିର୍ମାଣ କରିବାକୁ ଚୀନର ସରକାରୀ ରେଳ ସଂସ୍ଥା ଅଧୀନରେ, ସିନଜିଆଙ୍ଗ- ତିବ୍ବତ ରେଳୱେ କମ୍ପାନୀ (XTRC) ଗଠନ ହୋଇଛି । ପ୍ରାୟ ୧୩.୨ ବିଲିୟନ ଡଲାର ପ୍ରାରମ୍ଭିକ ପୁଞ୍ଜି ସହ ସହ ଏହି କମ୍ପାନୀ ପଞ୍ଜୀକୃତ ହୋଇଛି । ଚୀନର ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ସଂଯୋଗ କରିବ ସିନଜିଆଙ୍ଗ-ତିବ୍ବତ ରେଳପଥ । କୁନଲୁନ, କାରାକୋରମ, କୈଳାସ ଓ ହିମାଳୟ ପର୍ବତମାଳା ଦେଇଯିବ ଏହି ରେଳ ଲାଇନ ।

ରେଳପଥର ହାରାହାରି ଉଚ୍ଚତା ୪,୫୦୦ ମିଟରରୁ ଅଧିକ ହେବ । ଯେଉଁଠି ଶୀତଦିନରେ ତାପମାତ୍ରା ମାଇନସ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିପାରେ । ଅମ୍ଳଜାନ ସ୍ତର ୪୪% ରହିବ । ଏହି ରେଳ ଲାଇନ LAC ନିକଟ ଦେଇଯିବ । ଏହାସହ ଏହି ରେଳ ଲାଇନ ଭାରତର ଅକ୍ସାଇ ଚୀନ ଅଞ୍ଚଳ ଦେଇ ଯାଇପାରେ । ତେଣୁ ସାମରିକ ଦୃଷ୍ଟିକୋଣରୁ ଚୀନ ପାଇଁ ରେଳପଥ ଗୁରୁତ୍ବପୂର୍ଣ୍ଣ ରହିବ ।

ଏହି ରେଳପଥ ଯୋଗୁଁ, ଭାରତ-ଚୀନ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି ହୋଇପାରେ । ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ସମ୍ପର୍କ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ କଜାନରେ ବ୍ରିକ୍ସ ସମ୍ମିଳନୀରେ ମୋଦି ଓ ସି ଜିନପିଂଙ୍ଗଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହା ପରେ ସମ୍ପର୍କରେ କିଛି ଉନ୍ନତି ଆସିଛି । ଏପରିକି ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବାକୁ ମୋଦି ଚୀନ ଯାଇପାରନ୍ତି । ଏହି ସମୟରେ ଚୀନର ରେଳପଥ ନୂଆ ବିବାଦ ସୃଷ୍ଟି କରିପାରେ ।

ତିବ୍ବତକୁ ନେଇ ଅନେକ ବିବାଦୀୟ ପ୍ରକଳ୍ପ ନିର୍ମାଣ କରୁଛି ଚୀନ । ତିବ୍ବତରେ ଚୀନର ବୃହତ ପ୍ରକଳ୍ପ ମଧ୍ୟରେ ବ୍ରହ୍ମପୁତ୍ର ନଦୀ ଉପରେ ବିଶ୍ୱର ସବୁଠାରୁ ବଡ ବନ୍ଧ ନିର୍ମାଣ ସାମିଲ ଅଛି । ଯାହା ଭାରତ ଓ ବାଂଲାଦେଶରେ ଚିନ୍ତା ସୃଷ୍ଟି କରିଛି । ଏବେ ନୂଆ ରେଳ ଲାଇନ ବିବାଦ ସୃଷ୍ଟି କରିବାକୁ ଯାଉଛି । ଅବଶ୍ୟ ଏହି ରେଳ ପ୍ରକଳ୍ପ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହେବ ।

Leave A Reply

Your email address will not be published.