ଗଣେଶ ପୂଜା ପାଇଁ ମାଟି ଆଣିବା ବେଳେ ଅଘଟଣ: କାଠଯୋଡ଼ିରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

youtube

କଟକ: ଆସୁଛି ଗଣେଶ ପୂଜା । ଆଉ ଦିନ କେଇଟା ପରେ ଆସିବେ ଗଣପତି ବାପ୍ପା । ସେଥିପାଇଁ ଚାରିଆଡେ ଖୁସିର ମାହୋଲ । ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଗଣେଶ ପୂଜା ପାଇଁ ମାଟି ଆଣିବାକୁ କାଠଯୋଡ଼ି ଯାଇଥିଲେ କିଛି ସାଙ୍ଗ । ପ୍ରଭୁ ଗଣେଶଙ୍କ ପୂଜା ପାଇଁ ମାଟି ଆଣିବେ । ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ପୂଜାକୁ ଯିବେ । କେତେ ମଜା ଖୁସି କରିବେ । ଏମିତି କେତେ କ’ଣ ଭାବିଥିଲେ ସାଙ୍ଗମାନେ । ହେଲେ କ୍ଷଣକରେ ସବୁକିଛି ଓଲଟ ପାଲଟ ହୋଇଗଲା । ଏ ଖୁସି ଯେ ତାଙ୍କ ପାଇଁ କାଳ ସାଜିବ ଏମାନେ କଳ୍ପନାରେ ସୁଦ୍ଧା ଭାବି ନଥିବେ ।

କିଏ ଜାଣିଥିଲା ଏଥର ପୂଜା ଆଗରୁ ଏ ଦୁଇଜଣଙ୍କ ଜୀବନ ଚାଲିଯିବ? ତାହାପୁଣି ଠାକୁରଙ୍କ କାମରେ ଯାଇଥିବା ବେଳେ? ପୂଜା ମାଟି ଆଣିବାକୁ ଯାଇ ନଦୀରେ ବୁଡ଼ିଗଲେ ଦୁଇ ସାଙ୍ଗ । ଉଦ୍ଧାର ପାଇଁ ଖୋଜାଖାଜି ସିନା ହେଲା, ଶେଷରେ ମିଳିଲା କେବଳ ମୃତଦେହ । ସାଙ୍ଗ ହୋଇ ଖେଳା ବୁଲା ପାଠପଢା ପରେ ଏକାଠି ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ । ଗତକାଲି କଟକ କାଠଯୋଡି ନଦୀରେ ଘଟିଛି ଏଭଳି ଦୁଃଖଦାୟୀ ଘଟଣା । ବାରମ୍ବାର ଜୀବନ ନେଉଥିବା ନଦୀ ପୁଣି ନେଇଛି ଦୁଇଟି ଜୀବନ ।

ପାଖାପାଖି ତିନି ମାସର ବ୍ୟବଧାନ ପରେ, କଟକରେ କାଠଯୋଡ଼ି ନଦୀରେ ପୁଣି ଅଘଟଣ । ଗତକାଲି ଅପରାହ୍ନରେ କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ କାଜିବଜାର ଅଞ୍ଚଳର ଶୁଭମ୍ ଏବଂ ମହିଦାସ ବଜାର ଅଞ୍ଚଳର ଲିପୁ ଦାସ ବୋଲି ଜଣାପଡିଛି । ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଦୁଇ ମୃତକଙ୍କ ବୟସ ୨୦ ବର୍ଷ ଭିତରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ୬ ଜଣ ଯୁବକ ସାଙ୍ଗ ହୋଇ କାଠଯୋଡ଼ି ନଦୀ ଭିତରକୁ ଯାଇଥିଲେ ।

ଗଣେଶ ପୂଜା ପାଇଁ ମାଟି ଆଣିବାକୁ ନଦୀ ଭିତରକୁ ଯାଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । କାଠଯୋଡ଼ି ନଦୀ କୂଳରେ ପାଣି ନ ଥିବା ବେଳେ ଦୁଇଶହ ତିନିଶହ ମିଟର ଭିତରକୁ ପାଣି ରହିଛି । ସେହି ସ୍ଥାନକୁ ମାଟି ଆଣିବା ଯାଇଥିଲେ ୬ ଜଣ ଯୁବକ । ଠିକ୍ ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ଚୋରା ବାଲି ଭିତରେ ଫସି ଯାଇ ପାଣିରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି । ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

କିଛି ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଥିଲେ । ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ମର୍ମାହତ । ଗତ ମେ’ ମାସ ୧୮ ତାରିଖରେ କାଠଯୋଡ଼ିରେ ଗାଧେଇବା ବେଳେ ମଧ୍ୟ ଦୁଇ ଜଣ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିଥିଲା । ଦେଖିବାକୁ ଗଲେ ଚଳିତ ବର୍ଷ ମୋଟ ଚାରିଟି ଜୀବନ ଯାଇ ସାରିଲାଣି ଏହି କାଠଯୋଡ଼ି ନଦୀରେ । ଅନ୍ୟପଟେ ଯେତେ ସଚେତନ କଲା ପରେ ବି ଅମାନିଆ ଆଜିର ଯୁବପିଢ଼ି । ବିପଦ ମୁହଁକୁ ଯାଇ ବାରମ୍ବାର ଜୀବନକୁ ବାଜି ଲଗାଉଛନ୍ତି । ଏମିତି ସାମାନ୍ୟ ଅବହେଳା ଟିକିଏ ପାଇଁ ଚାଲି ଯାଉଛି ଅନେକ ଅମୂଲ୍ୟ ଜୀବନ । ଏପଟେ ଅବେଳରେ ପୁଅଙ୍କୁ ହରାଇ ଥୟ ଧରୁ ନାହାନ୍ତି ଦୁଇ ଦୁଇଟି ପରିବାର ।

Leave A Reply

Your email address will not be published.