ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

youtube

ପୁରୀ : ଆଜି ୪ଘଣ୍ଟା ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ଭାଦ୍ରବ କୃଷ୍ଣପକ୍ଷ ତିଥି ବା ରେଖା ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ଏହି ନୀତି ସମୟରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ ।  ମହାପ୍ରଭୁଙ୍କ ଏହି ଗୁପ୍ତନୀତି ପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି|

ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ରାହୁରେଖା ଲାଗି ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ । ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ ।  ତେବେ ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପିଡୀତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥିଲା ।

ତେବେ ପୁନର୍ବାର ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ ।  ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ । ଏହାପରେ ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ ।  ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

Leave A Reply

Your email address will not be published.