
ଜୌନପୁର : ଜୌନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁଘର୍ଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ବସ୍ ଏବଂ ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସୂଚନାନୁଯାୟୀ, ରୋଡୱେଜ୍ ବସ୍ ଜୌନପୁରରୁ ଶାହଗଞ୍ଜ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପ୍ରାୟ ରାତି ୧୧ଟା ସମୟରେ ଦେଖିବାକୁ ମିଳିଥିଲା । ଖେତସରାୟର ଗୁରାନି ବଜାର ନିକଟରେ ଏକ ଟ୍ରକ୍ ସହିତ ବସର ଧକ୍କା ହୋଇଥିଲା । ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ରିଲିଫ୍ ମଧ୍ୟ ଯୋଗାଇଥିଲେ । ଏହି ଦୁର୍ଘଟଣାରେ ଦୁଇ ମହିଳା, ଦୁଇ ପୁରୁଷଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।
ଅନ୍ୟପଟେ ଏହି ଦୁଘର୍ଟଣାର କାରଣ ସମ୍ପର୍କରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ଦିନେଶ ଚାନ୍ଦ କହିଛନ୍ତି । ଏଥି ସହିତ ରୋଡୱେଜ୍ ବସ୍ ଭୁଲ ରାସ୍ତାରେ ଯାଇଥିଲା ଯାହା ଫଳରେ ଏହା ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା ବୋଲି ଏସ୍ପି ଡକ୍ଟର କୌସ୍ତୁଭ କହିଛନ୍ତି ।