
ଭୁବନେଶ୍ବର: ଧାନ ମଣ୍ଡିରେ କୃଷକମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ପ୍ରଦାନ କରାଯିବ। ଚାଷୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମସ୍ତ ଜରୁରୀ ବିପଣନ ସମ୍ବନ୍ଧିତ କାର୍ଯ୍ୟ ଉପଲବ୍ଧ ହେବ। ଫସଲ ପରବର୍ତ୍ତୀ କ୍ଷତିକୁ ସର୍ବନିମ୍ନ ସୁନିଶ୍ଚିତ କରିବା, କୃଷକର ଆୟରେ ଉନ୍ନତି ଆଣିବା, ଠିକ୍ ଓ ତ୍ବରିତ ବଜାର ସୂଚନା ପ୍ରଦାନ ଏବଂ ଅନ୍ୟାନ୍ୟ ସହଯୋଗୀ ବିଭାଗର କାର୍ଯ୍ୟକ୍ରମ, ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଆଦର୍ଶ ମଣ୍ଡି ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ଆଦର୍ଶ ମଣ୍ଡି ସ୍ଥାପନ ହେବ। ଏଥି ପାଇଁ ୩୦୦ କୋଟି ଖର୍ଚ୍ଚ ହେବ। ସମବାୟ ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ ଦେଇ କହିଛନ୍ତି, ଆଦର୍ଶ ମଣ୍ଡିରେ ଧାନକିଣା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ କଂକ୍ରିଟ୍ ପିଣ୍ଡି, ଛାତ ଥିବା ପିଣ୍ଡି, ଦୀର୍ଘ ସମୟ ପାଇଁ ଉତ୍ପାଦ ସଂରକ୍ଷଣ କରିପାରୁଥିବା ବହୁମୁଖୀ ଗୋଦାମ ରହିବ। ଏହା ସହ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଓଜନ ମାପକ ସରଞ୍ଜାମ, କୃଷକ ସୁବିଧା କେନ୍ଦ୍ର, ବିଶ୍ରାମ ଓ ପରିମଳ ସୁବିଧା, ପରିବହନ ସୁବିଧା, ମହିଳା ଚାଷୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯଥା ଶିଶୁ ଯତ୍ନ କେନ୍ଦ୍ର ଓ ବିଶ୍ରାମ ଗୃହ, ଚାଷୀଙ୍କ ଉତ୍ପାଦଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଉଚ୍ଚମାନର ଯନ୍ତ୍ରପାତି, ଅନ୍ୟାନ୍ୟ କୃଷି ଉତ୍ପାଦଗୁଡ଼ିକର ସୁବିକ୍ରିବଟା ପାଇଁ ଡିଜିଟାଲ ପ୍ଲାଟଫର୍ମ, ବିକ୍ରି କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଶୀତଳୀକରଣ ପ୍ରକୋଷ୍ଠ, ଆବର୍ଜନା ପରିଚାଳନା ପ୍ରଣାଳୀ ଆଦି ବ୍ୟବସ୍ଥା ରହିବ।
ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡି ପାଇଁ ଖର୍ଚ୍ଚ ହେବ ୩୦୦ କୋଟି
ଷ୍ଟ୍ରିଟ୍ଲାଇଟ୍ ଉନ୍ନତୀକରଣ ପାଇଁ ୨୦୦ କୋଟି
ଭୁବନେଶ୍ବରରେ ବିମାନ ମରାମତି ସୁବିଧା ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ
ଏହି ୩୮ଟି ପ୍ରସ୍ତାବିତ ମଣ୍ଡିରେ ୧୪ଟି ବୃହତ୍, ୧୭ଟି ମଧ୍ୟମ, ୭ଟି କ୍ଷୁଦ୍ର ମଣ୍ଡି ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ଏଥି ନିମନ୍ତେ ଚୟନ କରାଯିବ। ଏହି ୩୮ଟି ଯାକ ଆଦର୍ଶ ମଣ୍ଡି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୋଟ୍ ୩୦୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଥିବାବେଳେ ଏଥିରୁ ୧୫୦ କୋଟି ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି)ମାନଙ୍କର ନିଜସ୍ବ ଅର୍ଥରୁ ଭରଣା କରାଯିବ। ବାକି ୧୫୦କୋଟି ରାଜ୍ୟ ସରକାର ଦେବେ। ଏହି ଯୋଜନା ପାଇଁ ସମବାୟ ବିଭାଗର ଚଳିତ ବଜେଟ୍ରେ ୫୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି କ୍ୟାବିନେଟ୍ ବୈଠକରେ ୧୧୦ଟି ଯାକ ସହରାଞ୍ଚଳରେ ଯେଉଁଠି ପୂର୍ବରୁ ଷ୍ଟ୍ରିଟଲାଇଟ୍ ଅଛି ସେଗୁଡ଼ିକର ଉନ୍ନତୀକରଣ କରି (ରିଟ୍ରୋଫିଟିଂ) ଏଲ୍ଇଡି ଲାଇଟ୍ ଲଗାଯିବ। ଏଥି ପାଇଁ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍)ରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ପୂର୍ବରୁ ରାଜ୍ୟର ୧୧୦ଟି ସହରାଞ୍ଚଳକୁ ୬ଟି କ୍ଲଷ୍ଟରରେ ଭାଗ କରାଯାଇଥିବା ବେଳେ ଏଥିପାଇଁ ୬ଟି ସଂସ୍ଥା ନିୟୋଜିତ ହୋଇଛନ୍ତି। ଏହି ପ୍ରକଳ୍ପ ପାଇଁ ନଗର ଉନ୍ନୟନ ବିଭାଗ ଜୁନ୍ ୨୮, ୨୦୨୪ରେ ମୋଟ୍ ୩୫୦.୦୪ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏବେ ଓୟୁଆଇଡିଏଫ୍ ପାଣ୍ଠିରୁ ୧୫୦କୋଟି ଟଙ୍କା ବିନିଯୋଗ ହେଉଛି। ଆଗକୁ ବାକି ୨୦୦କୋଟି ଟଙ୍କା ବିନିଯୋଗ କରିବାକୁ ଅନୁମତି ମିଳିଛି।
ଏହାସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ବସ୍ତରୀୟ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (ଏମ୍ଆର୍ଓ) ସୁବିଧା ପ୍ରତିଷ୍ଠାକୁ ସହଜ କରିବା ପାଇଁ ଶିଳ୍ପ ନୀତି,୨୦୨୨ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପରିବହନ ବିଭାଗ ପକ୍ଷରୁ ‘ଏୟାର ୱାର୍କସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡ୍’କୁ ଭୁବନେଶ୍ବର ବିମାନବନ୍ଦରରେ ଏମ୍ଆର୍ଓ ସୁବିଧା ପ୍ରତିଷ୍ଠା, ପରିଚାଳନା ପାଇଁ ଆଙ୍କର ନିବେଶକ ଭାବେ ମନୋନୀତ କରାଯାଇଛି। ବିଭିନ୍ନ ଏୟାରଲାଇନ୍ସ ତାଙ୍କର ମୋଟ୍ ରାଜସ୍ବରୁ ୧୨ରୁ ୧୫% ରକ୍ଷଣାବେକ୍ଷଣ ଓ ମରାମତିରେ ଖର୍ଚ୍ଚ କରୁଥିବାରୁ ରାଜ୍ୟ ସରକାର ଏହା ଦ୍ବାରା ଅଧିକ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।