
ନୂଆଦିଲ୍ଲୀ : କାଶରେ ଉଡିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା । ତାଙ୍କର ଭବ୍ୟ ସ୍ବାଗତ ପାଇଁ ଏୟାରପୋର୍ଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ ।
ସୂଚନାନୁଯାୟୀ, ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ପାଇଁ ଏୟାରପୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ, ଇସ୍ରୋର ବୈଜ୍ଞାନିକ, ତାଙ୍କ ଛାତ୍ର ଗୋଷ୍ଠୀ ଏବଂ ବହୁ ସଂଖ୍ୟାର ଲୋକ ସ୍ବାଗତ ସମ୍ବର୍ଦ୍ଧନାରେ ଉପସ୍ଥିତ ଥିଲେ । ସେମାନଙ୍କ ସମେତ ଶୁଭାଂଶୁଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ପୁଅ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ସାମିଲ ଥିଲେ । ସେ ମହାକାଶରେ ୧୮ ଦିନ ବିତାଇବା ପରେ ଏୟାରପୋର୍ଟରେ ପହଞ୍ଚିଥିଲେ ।
ସେପଟେ ଶୁଭାଂଶୁ ପହଞ୍ଚିବା ମାତ୍ରେ ଭାରତ ମାତା ସ୍ଲୋଗାନରେ ଏୟାରପୋର୍ଟ ପ୍ରକମ୍ପିତ ହୋଇ ଉଠିଥିଲା । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀ ଶୁଭାଂଶୁଙ୍କୁ ଫୁଲତୋଡା ଦେଇ ସ୍ବାଗତ ଜଣାଇଥିଲେ । ଅନେକ ଲୋକ ହାତରେ ଜାତୀୟ ପତାକା ଧରି ଶୁଭାଂଶୁଙ୍କ ସ୍ବାଗତ କରିଥିଲେ । ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ସେ ତାଙ୍କ ଜନ୍ମିତ ସ୍ଥାନ ଲକ୍ଷ୍ନୌକୁ ଗସ୍ତ କରିବେ । ଏହା ବ୍ୟତୀତ ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ଅବସରରେ ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଅନ୍ୟପଟେ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ସୋସିଆଲ ମିଡିଆରେ Xରେ ପୋଷ୍ଟ କରି ଲେଖିଛନ୍ତି ଯେ, ଶୁଭାଂଶୁ ମହାକାଶରୁ ଫେରିବା ଭାରତର ମହାକାଶ ପାଇଁ ଗର୍ବର ମୁହୂର୍ତ୍ତ ଥିଲା । ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମହାକାଶ ଗର୍ବକୁ ସମ୍ମାନିତ କରାଯାଇଥିଲା। ଏହି ଆଗମନ ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଉପଲବ୍ଧି ଏବଂ ଦେଶର ମହାକାଶ ଯାତ୍ରାର ମାଇଲଖୁଣ୍ଟ ଭାବେ ଦର୍ଶାଯାଇଛି ।
ଏହା ବ୍ୟତୀତ ବିଶେଷ କରି ଶୁଭାଂଶୁ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୭ ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରିଥିଲେ । ଏହି ପରୀକ୍ଷଣରେ କଳା ଚଣା ଏବଂ ମେଥି ବୀଜର ଅଙ୍କୁରଣ, ଶରୀର ଉପରେ ଅନ୍ତ୍ରରୀକ୍ଷର ପ୍ରଭାବ ସମେତ ମାଂସପେଶୀରେ ଦୁର୍ବଳତା ଏବଂ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ ଭଳି ପରୀକ୍ଷଣ କରିଥିଲେ । ଏହି ପରୀକ୍ଷଣ ଯାହା କେବଳ ବୈଜ୍ଞାନିକମାନଙ୍କୁ ଦିଗ ଦର୍ଶାଇବ ନାହିଁ ବରଂ ଚାଷ, ଲୋକଙ୍କ ସ୍ବାସ୍ଥ୍ୟ ଏବଂ ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ କରିବ । ଶୁଭାଂଶୁଙ୍କ ଏହି ମିଶନ ଯାହା ବର୍ତ୍ତମାନର ଯୁବ ପିଢିଙ୍କୁ ମହାକାଶ ବିଜ୍ଞାନ ପ୍ରତି ଉତ୍ସାହ ବଢାଇବ ।