
ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଯାହାର ସୂଚନା ରବିବାର ଦିନ ଅଧିକାରୀ ଦେଇଛନ୍ତି ।
ସୂଚନାନୁଯାୟୀ, ପ୍ରବଳ ବର୍ଷା କାରଣରୁ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଏବଂ SDRF ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ୬ ଜଣ ଫସି ରହିଥିବା ସୂଚନା ମିଳିଛି । ବର୍ଷା ଯୋଗୁଁ ସ୍ଥାନୀୟ ଉଝ ନଦୀର ଜଳସ୍ତର ବିପଦ ସଂକେତ ନିକଟରେ ପହଞ୍ଚିଛି । କଠୁଆ ଅଞ୍ଚଳର ବଗାର୍ଡ, ଚାଙ୍ଗଦା ଏବଂ ଦିଲୱାନ-ହୁଟଲି ଗାଁରେ ମଧ୍ୟ ଭୂସ୍ଖଳନ ହୋଇଛି। ତେବେ ବଡ଼ କ୍ଷୟକ୍ଷତି ନେଇ ଖବର ମିଳିନାହିଁ ।
ଏହାରି ମଧ୍ୟରେ କାଠୁଆ ଥାନା ଅଞ୍ଚଳର ବାଗାର୍ଡ ଏବଂ ଚାଙ୍ଗରା ଗ୍ରାମ ଏବଂ ଲଖନପୁର ଥାନା ଅଞ୍ଚଳର ଦିଲୱାନ-ହୁଟଲି ଅଞ୍ଚଳରୁ ଭୂସ୍ଖଳନର ସୂଚନା ମିଳିଛି । କିନ୍ତୁ ସେଠାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ।
ଅନ୍ୟପଟେ ଲଗାତାର ବର୍ଷା ଯୋଗୁଁ ଉଝ ନଦୀର ଜଳସ୍ତର ବିପଦପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହା ଉପରେ ନଜର ରଖିବା ସହିତ ଲୋକମାନଙ୍କୁ ନଦୀ ଏବଂ ନାଳଠାରୁ ଦୂରରେ ରହିବା ସହିତ ସୁରକ୍ଷିତ ସ୍ଥାନରେ ରହିବାକୁ ନିବେଦନ କରିଛି ।