ସାଇବର ଅପରାଧୀ ଗ୍ୟାଙ୍ଗକୁ କାବୁ କଲା ପୁଲିସ, ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟିଥିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା

youtube

କଟକ: ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ । ନିଜକୁ ଟ୍ରାଇ ଅଧିକାରୀର ପରିଚୟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ହେଲେ ପୋଲିସ ସାମ୍ନାକୁ ନେଇଆସିଲା ସବୁ ସତ । ଯାହାପରେ ଏବେ ପୋଲିସ କବଜାରେ ଅପରାଧୀ । ହଁ ଆଜ୍ଞା, ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଏକ ସାଇବର ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଟକ ସାଇବର ଥାନା ପୋଲିସ । ଡାକ୍ତରଙ୍କ ଠାରୁ ଏକ କୋଟି ନଅ ଲକ୍ଷ ୪୬ ହଜାର ଟଙ୍କା ହଡ଼ପ କରିନେଇଛି ଏହି ଗ୍ୟାଙ୍ଗ ।

ଏହି ମାମଲାରେ ସାଇବର୍‌ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବର୍ମା କୁସୁୱାହା, ହାୱଡ଼ାର ଦିନେଶ ଖଣ୍ଡେଲୱାଲ ଓ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜୟ କୁମାର ସ’କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ଜାଲ୍ ସିମ୍‌କାର୍ଡ, ୧୯ ଟି କ୍ରେଡିଟ୍‌ ଓ ଡେବିଟ୍ କାର୍ଡ, ୪୦ ଟି ବ୍ୟାଙ୍କ ଆକାଉଣ୍ଟ ଓ ପାସବୁକ୍ ଜବତ କରାଯାଇଛି । ଏହି ଆକାଉଣ୍ଟ ଗୁଡ଼ିକରେ ଥିବା ୩ ଲକ୍ଷ ୧୭ ହଜାର ଏକ ଶହ ଟଙ୍କା ଫ୍ରୀଜ୍ କରିଛି ପୋଲିସ ।

ତେବେ ନିକଟରେ ଜଣେ ଅବସରପ୍ରାପ୍ତ ସେନା ଡାକ୍ତର ଶଙ୍କର ପ୍ରସାଦ ମିଶ୍ରଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଟ୍ରାଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଡାକ୍ତରଙ୍କ ଆଧାର କାର୍ଡ ବ୍ୟବହାର କରି ଏକ ବଡ ଧରଣର ସୀମ କାର୍ଡ ସ୍କାମ ହୋଇଥିବା ତାଙ୍କୁ କଲ କରି କୁହାଯାଇଥିଲା । ତାଙ୍କ ବିରୁଦ୍ଧରେ ସାଇବର ସେଲରେ ମାମଲା ରୁଜୁ ହୋଇଥିବା କହି ତାଙ୍କୁ ଭୟଭୀତ କରାଯାଇଥିଲା । ଏହା ପରେ ଜଣେ ଜଣେ ନକଲି ସି ବି ଆଇ ଅଧିକାରୀ, ବିଚାରପତି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ପାଖକୁ କଲ ଟ୍ରାନସଫର୍ କରାଯାଇଥିଲା ।

ଡାକ୍ତରଙ୍କ ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକରେ ଜମା ଅର୍ଥ ରାଶି ଯାଞ୍ଚ କରିବାକୁ ପଡ଼ିବ ଏବଂ ଯାଞ୍ଚ ପରେ ତାଙ୍କୁ ଫେରାଇ ଦିଆଯିବ ବୋଲି କହିଥିଲେ ଏହି ଅପରାଧୀ ଗ୍ୟାଙ୍ଗ । ଏହା ପରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଟ୍ରାନସଫର୍ କରିଥିଲେ ଅବସରପ୍ରାପ୍ତ ଡାକ୍ତର । ଟଙ୍କା ଫେରସ୍ତ ନ ଆସିବାରୁ ଗତ ୨୦୨୪ ଡିସେମ୍ବର ମାସ ୨୪ ତାରିଖରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାପରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ସାଇବର ଥାନା ପୋଲିସ । ଯାହାପରେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.