ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭବନରେ ରହିବ ଓଡ଼ିଆ ଐତିହ୍ୟର ଝଲକ

youtube

ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି ।  ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି ।  ଓଡ଼ିଶା ଭବନରେ ଓଡିଆ ଐତିହ୍ୟର ଝଲକ ରହିବ । ରାଜ୍ୟର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟରଙ୍କୁ ପରାମର୍ଶ ଦେଇଥିଲେ ।

ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ମୋଟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି G+6 ଭବନ ନିର୍ମାଣ କରାଯିବ ।  ଏଥିରେ ମୋଟ ୪୫ଟି କୋଠରୀ ରହିବ। ଓଡ଼ିଶା ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସେହିପରି ମୁମ୍ବାଇକୁ ଓଡ଼ିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଥିବାରୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।  ଏଥିସହିତ ଓଡ଼ିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ମଧ୍ୟ ଓଡ଼ିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

Leave A Reply

Your email address will not be published.