
କେନ୍ଦୁଝର: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ହାତୀ ଆକ୍ରମଣରେ ପୁଣି ଜଣଙ୍କ ମୃତ୍ୟୁ । ଶୋଇଥିବା ବେଳେ ଘର ଭାଙ୍ଗି ଆକ୍ରମଣ କଲା ଗୋଠଛଡା ଦନ୍ତା । ଚିକିତ୍ସିତ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଚମ୍ପୁଆ ବ୍ଲକ ବର୍ଧନା ଗାଁରେ ଦେଖା ଯାଇଛି ଦନ୍ତା ଆତଙ୍କ । ଘରେ ପଶି ଗୋଠଛଡା ଦନ୍ତା କରିଥିଲା ଉତ୍ପାତ । ବିଳମ୍ବିତ ରାତିରେ ବର୍ଧନା ଗାଁର ଶରଧା ଖିଲାର ନାମକ ଜଣେ ୭୦ ବର୍ଷିୟା ବୃଦ୍ଧା ଘରେ ଶୋଇଥିବା ବେଳେ, ଚମ୍ପୁଆ ରେଞ୍ଜରେ ଆତଙ୍କ ଜାରି ରଖିଥିବା ଗୋଠ ଛଡା ଦନ୍ତା ହାତୀଟି ଧାନ ଖାଇବା ଆଶାରେ ଶରଧାଙ୍କ ଘର ଭିତରେ ପଶିଥିଲା । ଘର ଭିତରେ ଥିବା ଶରଧାକୁ ଆକ୍ରମଣ କରିବା ସହ ଘର ଭିତରେ ଥିବା ଧାନ ଚାଉଳ ଖାଇଥିଲା ହାତୀ । ସେତେବେଳେ ତାଙ୍କ ପରିବାର ଲୋକେ ଅନ୍ୟ ଏକ କୋଠରୀରେ ଶୋଇଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ସହ ଶରଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହାତୀ ମଣିଷର ଲଢେଇରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହାର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।