ମାନବିକତା ଦେଖାଇଲେ ପୋଲିସ ବାବୁ: କାନ୍ଧରେ ନେଇ ମହିଳାଙ୍କ ଶବସତ୍କାର କଲେ

youtube

ବାଲେଶ୍ୱର: ମୃତଦେହକୁ କାନ୍ଧେଇ ନେଇ ଯାଉଛନ୍ତି ପୋଲିସ । ମୃତ୍ୟୁ ସମୟରେ ପରିବାର ଲୋକେ ଚାରି କାନ୍ଧ ଦିଅନ୍ତି ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ଏଠି ଦୃଶ୍ୟ ଟିକେ ଭିନ୍ନ । ଦେଖୁନାହାନ୍ତି କିଭଳି ପୋଲିସମାନେ ମିଶି ମୃତଦେହକୁ କାନ୍ଧେଇ ନେଇଯାଉଛନ୍ତି । ଆଉ ମହିଳାଙ୍କ ଶେଷକୃତ୍ୟ ମଧ୍ୟ କରିଛନ୍ତି । ହଁ ଆଜ୍ଞା, ପୋଲିସମାନେ ମୃତଦେହକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିଛନ୍ତି । ଏଭଳି ଏକ ଦୁଖଃଦ ସମୟରେ ସମୟରେ ମହାନତା ଦେଖାଇଛନ୍ତି ବସ୍ତା ପୋଲିସ ।

ହେଲେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏ ମହିଳାଙ୍କ ପରିବାର ଲୋକେ କୁଆଡେ ଗଲେ? ତେବେ ଆସନ୍ତୁ ପୁରା ଘଟଣା କ’ଣ ଜାଣିବା । ନବବଧୂର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀକୁ ଗିରଫ କରିଛି ପୋଲିସ । ଗିରଫ ଭୟରେ ଶାଶୁ ଘରର ସମସ୍ତ ସଦସ୍ୟ ଫେରାର ଥିବା ବେଳେ ଝିଅକୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହକୁ ନେବା ପାଇଁ ମନା କରିଦେଲେ ବାପଘର ଲୋକେ । ମୃତ ଝିଅର ଶବକୁ ଏକ କିଲୋ ମିଟର କାନ୍ଧରେ ଶ୍ମଶାନକୁ ନେଇ ଶବ ସତ୍କାର କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବାହାର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବାହାର ଅଞ୍ଚଳର ଜଣେ ନବ ବଧୂଙ୍କର ଗତକାଲି ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । କିନ୍ତୁ ମୃତଦେହର ପାରିପାର୍ଶ୍ବିକ ସ୍ଥିତି ଦେଖି ବାପଘର ଲୋକେ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ବସ୍ତା ଥାନା ଅନ୍ତର୍ଗତ ବଡ଼ଧନାଡ଼ି ଗ୍ରାମର ତପନ କୁମାର ଜେନାଙ୍କ ଝିଅ କବିତାଙ୍କ ସହ ନଳବାହାର ଅଞ୍ଚଳର ରବି ମହାଳିକଙ୍କ ପୁଅ ଶନିଆ ସହ ଗତ ଫେବ୍ରୁଆରି ମାସରେ ବାହାଘର ହୋଇଥିଲା ।

ବାହାଘର ସମୟରେ ପୁଅ ଘର ଲୋକଙ୍କ ଦାବି ମୁତାବକ ସମସ୍ତ ଆସବାବପତ୍ର ସହ କିଛି ଟଙ୍କା ଯୌତୁକ ଆକାରରେ ଦିଆଯାଇଥିଲା । ମାତ୍ର ବାହାଘରର ୨ ମାସ ପରେ ଜ୍ବାଇଁ ଶନିଆ ଏକ ସୁନା ହାର ଦାବି କରି ସ୍ତ୍ରୀ କବିତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ଗତ ରକ୍ଷା ବନ୍ଧନ ଦିନ କବିତା ବାପ ଘରକୁ ଆସି ସମସ୍ତ ଘଟଣା ବାପାଙ୍କୁ ଜଣାଇବା ସହ ଖୁବଶୀଘ୍ର ଜ୍ବାଇଁଙ୍କ ଦାବିକୁ ପୂରଣ କରିବା ପାଇଁ ସେ ଅନୁରୋଧ କରିଥିଲେ । ପରେ ବାପା କବିତାଙ୍କୁ ବୁଝାଇ ସୁଝାଇ ଶାଶୁ ଘରକୁ ପଠାଇଥିଲେ ।

ତେବେ ଗତକାଲି ସନ୍ଧ୍ୟା ସମୟରେ କବିତାଙ୍କୁ ଜ୍ବର ହୋଇଥିବାରୁ ଶ୍ବଶୁର ଘର ଲୋକେ ତାଙ୍କୁ ବସ୍ତା ହସ୍ପିଟାଲକୁ ଆଣିଥିବା ବାପଘର ଲୋକଙ୍କୁ ଖବର ଦେଇଥିଲେ । ମାତ୍ର ବାପଘର ଲୋକ ହସ୍ପିଟାଲ ପହଞ୍ଚି ଝିଅର ମୃତଦେହ ହସ୍ପିଟାଲର ବାରଣ୍ଡାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । କିନ୍ତୁ ଝିଅର ଅବସ୍ଥା ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ସ୍ବାମୀ ଶନିଆକୁ ଗିରଫ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରି ବାପଘର ଲୋକଙ୍କୁ ହସ୍ତାନ୍ତର କରିବାକୁ ଚାହିଁଥିଲେ ।

ମାତ୍ର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହ ନେବାକୁ ମନା କରିଦେଇଥିଲେ ବାପଘର ଲୋକେ । ଯାହାପରେ ପୋଲିସ ମୃତଦେହକୁ ନିଜେ କାନ୍ଧରେ କାନ୍ଧେଇ ଶବ ସତ୍କାର କରିଥିଲେ । ତେବେ ପୋଲିସ ଅଧିକାରୀଙ୍କ ଏଭଳି ମହାନତାକୁ ନେଇ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସା ।

Leave A Reply

Your email address will not be published.