
କଟକ: ଆସୁଛି ଦୁର୍ଗାପୂଜା । କଟକର ମନଲୋଭା ଚାନ୍ଦି ମେଢ଼ରେ ବେଶ ଧୂମଧାମରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଏଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା । ଅକ୍ଟୋବର ୩ ତାରିଖରେ ହେବ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । କିନ୍ତୁ ଏହା ପୂର୍ବରୁ କଟକ ସହର ସମସ୍ୟାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ହୋଇଛି । ଏହି ଶୁଣାଣିରେ କଟକ ଜିଲ୍ଲାପାଳ, କଟକ ଡିସିପି, ସି ଏମ ସି କମିଶନର ଉପସ୍ଥିତ ଥିଲେ ।
ଆଗକୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବା ବେଳେ ଅନେକଗୁଡ଼ିଏ ବିଷୟକୁ ନେଇ ଆଜି ଶୁଣାଣିରେ ଗୁରୁତ୍ତ୍ୱପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହରର ପୂଜା ପେଣ୍ଡାଲ ବା ମଣ୍ଡପ ଗୁଡ଼ିକରେ ପୂଜା ସମୟରେ କୌଣସି ପ୍ରକାର ରାସ୍ତା ଅବରୋଧ ଯେପରି ନ ହୁଏ ସେ ନେଇ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି ହାଇକୋର୍ଟ । ସମସ୍ତ ପୂଜା କମିଟିଗୁଡ଼ିକୁ ଏ ନେଇ ଅବଗତ କରାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପୂଜା ସମୟରେ ନିର୍ମାଣ କରାଯାଉଥିବା ଗେଟ୍ ବା ତୋରଣଗୁଡ଼ିକ ଯେପରି ଭୁଶୁଡ଼ି ନ ଯିବ ଏବଂ ଏହା ଦ୍ବାରା ଯେପରି କୌଣସି ଧନଜୀବନ ହାନି ନ ହୁଏ ସେ ନେଇ ଯତ୍ନବାନ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୌଣସି ସ୍ଥାନରେ ଯେପରି ୬୫ ଡେସିବଲ୍ ରୁ ଅଧିକ ଶବ୍ଦ ପ୍ରଦୂଷଣ ନ ହୁଏ ସେ ନେଇ ଦୃଷ୍ଟି ଦେବାକୁ କହିଛନ୍ତି କୋର୍ଟ । ପାର୍ବଣ ସମୟରେ ସଠିକ୍ ଢ଼ଙ୍ଗରେ ଟ୍ରାଫିକ ପରିଚାଳନା କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କଟକ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଅତି ଖରାପ ଅବସ୍ଥାରେ ଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ ।
ପୂଜା ପୂର୍ବରୁ ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥାରେ ସୁଧାର ଆଣିବାକୁ କୁହାଯାଇଛି । ସହରର କେଉଁ କେଉଁ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଆଦୌ ଜଳୁ ନାହିଁ ବା ସଠିକ୍ ଢ଼ଙ୍ଗରେ ଜଳୁ ନାହିଁ ସେ ନେଇ ଏକ ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ କମିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ପୂଜା ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅପମିଶ୍ରିତ ବା ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରୀ ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ଆଦି ଉପରେ ମଧ୍ୟ ସଠିକ୍ ଢ଼ଙ୍ଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାତି ୧୨ ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବା ପାଇଁ ଶାନ୍ତି କମଟି, ପୂଜା କମିଟିଗୁଡିକ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋର ଜବରଦସ୍ତ ଯେପରି କାହା ଠାରୁ ଚାନ୍ଦା ଆଦାୟ ନ କରାଯାଏ, ଆଇନ ଶୃଙ୍ଖଳା ବ୍ୟାହତ ନ ହୁଏ, ଅପରାଧିକ କାର୍ଯ୍ୟକଳାପ ସକ୍ରିୟ ନ ହୁଏ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଢ଼ ବିସର୍ଜନ ବା ଭସାଣି ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ମଧ୍ୟ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ କରାଯାଇଛି ।