
ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ଶିଶୁ ତଥା ମା’ ମାନଙ୍କ ସକାଶେ ଏହା ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି l ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି l
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଏବଂ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି । ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି l
ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ l ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ଯ ରହିବେ l ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ତଥା ବିଶେଷ କରି ମହିଳାଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିପାଇଁ ସ୍ଵତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।