
ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ ବୃଦ୍ଧି କରିଛି।
୨୦ ବର୍ଷ ପୁରୁଣା ଯାନବାହନ ଉପରେ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏବେ ଏପରି ଯାନର ପଞ୍ଜୀକରଣ ନବୀକରଣ ଫି ପ୍ରାୟ ଦ୍ୱିଗୁଣିତ ହେବ।
ନୂତନ ବ୍ୟବସ୍ଥା ଅନୁଯାୟୀ, ମୋଟରସାଇକେଲର ରିନ୍ୟୁଅଲ ଫି ଏବେ ୨,୦୦୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧,୦୦୦ ଟଙ୍କା ଥିଲା। ତିନି ଚକିଆ କିମ୍ବା କ୍ୱାଡ୍ରିସାଇକେଲ ପାଇଁ ଏହା ୫,୦୦୦ ଟଙ୍କା, ଯାହା ପୂର୍ବରୁ ୩,୫୦୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ହାଲୁକା ମୋଟର ଯାନ ପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କା ଦେବାକୁ ପଡିବ, ଯାହା ପୂର୍ବରୁ ୫,୦୦୦ ଟଙ୍କା ଥିଲା।
ଆମଦାନୀ ହୋଇଥିବା ୨ କିମ୍ବା ୩ ଚକିଆ ଯାନ ପାଇଁ ଶୁଳ୍କ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧୦,୦୦୦ ଟଙ୍କା ଥିଲା। ଆମଦାନୀ ହୋଇଥିବା ୪ ଚକିଆ ଯାନ କିମ୍ବା ବଡ଼ ଯାନ ପାଇଁ ଶୁଳ୍କ ୮୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୪୦,୦୦୦ ଟଙ୍କା ଥିଲା। ଅନ୍ୟାନ୍ୟ ଯାନ ପାଇଁ ୧୨,୦୦୦ ଟଙ୍କା ନିଆଯିବ।
ସୂଚନାଥାଉକି , ଏହି ଶୁଳ୍କରେ GST ଅନ୍ତର୍ଭୁକ୍ତ ନୁହେଁ। ଏହା ସହିତ, ୧୫ ବର୍ଷ ପୁରୁଣା ଯାନଗୁଡ଼ିକୁ ପୁନଃପଞ୍ଜିକରଣ କରାଯାଇପାରିବ, କିନ୍ତୁ ସେମାନଙ୍କର ବୟସ ୨୦ ବର୍ଷରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ।
ଏହା ପଛରେ ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଧୀରେ ଧୀରେ ରାସ୍ତାରୁ ପୁରୁଣା ଯାନଗୁଡ଼ିକୁ ହଟାଇବା ଏବଂ ସେଗୁଡ଼ିକୁ ନୂତନ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ଯାନ ସହିତ ବଦଳାଯିବା। ପ୍ରକୃତରେ, ୨୦ ବର୍ଷ ପୁରୁଣା ଯାନବାହନ ଅଧିକ ପ୍ରଦୂଷଣ ସୃଷ୍ଟି କରେ ଏବଂ ରାସ୍ତାରେ ବିପଦ ମଧ୍ୟ ବୃଦ୍ଧି କରେ। ଏହି କାରଣରୁ ସେଗୁଡ଼ିକୁ ସ୍କ୍ରାପ୍ ପଲିସି ସହିତ ଯୋଡାଯାଇଛି।