
ମୟୂରଭଞ୍ଜ: ତୀର ମାଡରେ ହାତୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବଡାମପୁର ଜଙ୍ଗଲରେ ଏକ ହାତୀକୁ ତୀର ମାଡ଼ ହୋଇଛି । ହାତୀର ଦେହରେ ଗୋଟିଏ ତୀର ବାଜି ଗଭୀର କ୍ଷତ ହୋଇଛି । ପ୍ରାୟ ୭ଦିନ ପୂର୍ବରୁ ବେତନଟୀ ରେଞ୍ଜ ଅଧୀନ ବଡାମପୁର ଜଙ୍ଗଲକୁ ୩୫ଟିକିଆ ହାତୀପଲ ପ୍ରବେଶ କରିଥିଲେ । ଏହି ସମୟ ମଧ୍ୟରେ ଏକ ମଧ୍ୟବୟସ୍କ ହାତୀକୁ ତୀରବିଦ୍ଧ କରାଯାଇଥିବା ଜଣାପଡ଼ିଥିଲା ।
ଧାରୁଆ ଏବଂ ତୀକ୍ଷ୍ଣ ତୀର ହାତୀ ଶରୀରରେ ପଶି ରହିଥିବା ବେଳେ ସେଥୁରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଛି । ଯନ୍ତ୍ରଣାରେ ଛଟପଟ ତୀରବିଦ୍ଧ ହାତୀଟି ହାତୀପଲ ଠାରୁ ସାମାନ୍ୟ ଦୂରତା ବଜାୟ ରଖୁଥିବା ଜଣାପଡ଼ିଛି । ଏପଟେ ଲଗାଣ ବର୍ଷା ପାଇଁ ରକ୍ତସ୍ରାବ ହେଉଥିବା ତୀରବିଦ୍ଧ ସ୍ଥାନରେ ବର୍ଷାପାଣି ଲାଗି ସଂକ୍ରମଣର ମଧ୍ୟ ଆଶଙ୍କା ଦେଖାଦେଇଛି ।