
ବିହାର : ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ ଆକ୍ରମଣରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହିଲସା ଥାନା ଅନ୍ତର୍ଗତ ମାଲାବନ ଗାଁରେ ।
ଖବର ମୁତାବକ, ହିଲସା ଥାନା ଅନ୍ତର୍ଗତ ମାଲାବନ ଗାଁରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ ଜଣଙ୍କ ପରିବାରକୁ ଭେଟିବାକୁ ଆସିଥିଲେ । ଏହି ସମୟରେ ଗାଁ ଲୋକେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ପିଛା କରିବା ଫଳରେ ମନ୍ତ୍ରୀ ଦୌଡିଥିଲେ ।
ଗତ ଦୁଇଦିନ ପୂର୍ବେ ଏହି ଗାଁର ୯ ଜଣ ଲୋକ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ଥାନୀୟ ବିଧାୟକ ପ୍ରେମ ମୁଖିଆ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ପୀଡିତ ପରିବାରଙ୍କୁ ସାନ୍ତ୍ୱନା ଦେବା ପାଇଁ ମାଲାବନ ଗାଁରେ ପହଞ୍ଚିଥିଲେ । ଏହି ସମୟରେ ଗ୍ରାମବାସୀ ରାଗିଯାଇ ହଠାତ୍ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ବଡିଗାର୍ଡ ଆହତ ହୋଇଛନ୍ତି ।
ତେବେ ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । କିନ୍ତୁ ବିଧାୟକଙ୍କ କହିବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ । ହେଲେ ସେମାନଙ୍କୁ କ୍ଷତିପୂରଣ ନ ମିଳିଥିବାରୁ ଏଭଳି ଆଚରଣ କରିଥିଲେ ।