
ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ଭିରାରର ନାରାଙ୍ଗୀ ଫାଟାରେ ଥିବା ରାମୁ କମ୍ପାଉଣ୍ଡର ସ୍ବାମୀ ସମର୍ଥନ ନଗରରେ ରାମବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ପଛ ଭାଗର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡି ପଡିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ଛଅ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଛି । ଏନଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ସନ୍ଧାନ ଅଭିଯାନ ଚାଲିଛି । ବର୍ତ୍ତମାନ ଏହି କୋଠାର ଭଗ୍ନାବଶେଷରେ ୧୫ ରୁ ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଗତକାଲି ରାତି ପ୍ରାୟ ୧୧.୩୦ଟା ସମୟରେ ଏପରି ଦୁର୍ଘଟଣା ଘଟିଥିଲା । ଏହି କୋଠା ଦଶ ବର୍ଷ ପୁରୁଣା ଏବଂ ନଗର ନିଗମ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଘୋଷଣା କରିଥିଲା ।
ଅନ୍ୟପଟେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ NDRF ଦଳ କିଛି ପିଲାଙ୍କୁ ଉଦ୍ଧାର କରୁଥିବାର ଦେଖାଯାଉଛି । ଅନେକ ଛୋଟ ପିଲା ମଧ୍ୟ ଏହି ଘଟଣାରେ ଆହତ ହୋଇଥିବା ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ । NDRF କହିଛି ଯେ, ଘଟଣାସ୍ଥଳରେ ଦୁଇଟି ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।