
ଭୁବନେଶ୍ଵର : ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏହି ପର୍ବରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କର ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ ଏବଂ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ । ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟଦେବୀଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ଏବଂ ନବାନ୍ନ ଭକ୍ଷଣ କରିଥିଲେ । ନୂଆଁଖାଇ ପାଳନ କରି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ନୂଆଁଖାଇ ଏକ ପର୍ବ ଯାହା ଧରିତ୍ରୀ ମାତା ଓ ଆମର କୃଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଅବସର । ଏହି ପର୍ବ ପାରିବାରିକ ବନ୍ଧନକୁ ମଜବୁତ କରିବା ସହିତ ଲୋକଙ୍କୁ ଏକାଠି କରିଥାଏ ଏବଂ ସଦଭାବ ପ୍ରତିଷ୍ଠା କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି । ଏହି ଅବସରରେ ଏକ ବାର୍ତ୍ତାରେ ରାଜ୍ୟପାଳ ଡ଼. କମ୍ଭମପାଟି କୃଷକ ଭାଇ ଭଉଣୀ ତଥା ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କର ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଏବଂ କୃଷି କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ଵାନ ଜଣାଇଛନ୍ତି ।