
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଯେଉଁ ଶିକ୍ଷକଙ୍କର ଅବସର ଗ୍ରହଣ ପାଇଁ ପାଞ୍ଚ ବର୍ଷ ବା ତତୋଧିକ ସମୟ ବାକି ଅଛି ସେମାନଙ୍କୁ ମଧ୍ୟ ଚାକିରି ଜାରି ରଖିବା ପାଇଁ ଟିଇଟିରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରାଯାଇଛି । ଯଦି ସଂପୃକ୍ତ ଶିକ୍ଷକମାନେ TET ପାସ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ।
ସେମାନେ ଅବସର ଗ୍ରହଣ ସହିତ ଟର୍ମିନାଲ ବେନିଫିଟ୍ସ ପାଇଁ ଆବେଦନ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ହଜାର ହଜାର ଶିକ୍ଷକ ପ୍ରଭାବିତ ହେବେ । ତେବେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ କିମ୍ବା ନାହିଁ ସେନେଇ ବୃହତ୍ତର ବେଞ୍ଚକୁ ମାମଲା ଉଲ୍ଲେଖ କରାଯାଇଛି । ରାଜସ୍ଥାନ ସରକାରଙ୍କ ନିୟମ ବିରୋଧରେ ଦାୟର ଏକ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୮ରେ ରାଜସ୍ଥାନ ସରକାର ଶିକ୍ଷକମାନଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଥିଲେ । ଏହା ବିରୋଧରେ ବହୁ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।