ଡ୍ରେନ୍‌ ସଫା କଲେ ବିଡିଓ

add-all

ସିନାପାଲି: ‘ଆପଣ ନେଇ କରୁନ୍‌…। ଆମେ ସଫା କର୍‌ମୁଁ। ଡ୍ରେନ୍‌(ନାଳ)ରୁ ବାହାରୁନ୍‌..।’ କିଛି ମହିଳା ଜଣେ ଅଧିକାରୀଙ୍କୁ ଘେରି ଯାଇ ହାତ ଯୋଡ଼ି ବାରମ୍ବାର ନେହୁରା ହେଉଥିଲେ। ଡ୍ରେନ୍‌ ସଫା କରନ୍ତୁ ନାହିଁ ବୋଲି କହୁଥିଲେ। ତେବେ ଡ୍ରେନ୍‌ ସଫା କରି ଅଧିକାରୀ କହୁଥିଲେ, ‘ମୁଇଁ ଆସିଛି ତମ କାମ କରିବା ଲାଗି। ମୋତେ କରିବାକୁ ଦିଅ….।’ ଏଭଳି ଦୃଶ୍ୟ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ପ୍ରସାରିତ ହେଉଥିବା ଭିଡିଓଟି ନୂଆପଡ଼ା ଜିଲା ସିନାପାଲିର ଏବଂ ଡ୍ରେନ୍‌ ସଫା କରୁଥିବା ଅଧିକାରୀ ନିଜେ ବିଡିଓ କର୍ମୀ ଓରାମ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସୋମବାର ସିନାପାଲି ବ୍ଲକ ସଦର ପଞ୍ଚାୟତରେ ଗାଁରେ ପ୍ରଶାସନ ତଥା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସ୍ଥାନୀୟ କିଛି ମହିଳା ନିକଟସ୍ଥ ଡ୍ରେନ ସମସ୍ୟା ନେଇ ଶିବିରରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ଡ୍ରେନ ସମସ୍ୟା ନେଇ ଶିବିରରେ କଥା କଟାକଟି ହେବାରୁ ଶୁଣାଣି ଅଧାରେ ରଖି ଦିନ ପ୍ରାୟ ୧୨ଟା ୩୦ରେ ବିଡିଓ ଶ୍ରୀମତୀ ଓରାମ ସିନାପାଲି ବସ୍‌ଷ୍ଟାଣ୍ଡ ଛକ ଅଞ୍ଚଳରେ ପହଞ୍ଚିଥିଲେ। ଡ୍ରେନ୍‌ର ଅବସ୍ଥା ଦେଖି ସେ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ। ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ଓ ସ୍ଥାନୀୟ ମହିଳା ବାରଣ କରୁଥିଲେ ହେଁ ସେ କାହାରି କଥା ଶୁଣି ନ ଥିଲେ। ଡ୍ରେନରେ ପଡ଼ିଥିବା ଆବର୍ଜନା ସଫା କରିବାକୁ ଲାଗିଥିଲେ। ଯାହା ଅନ୍ୟମାନଙ୍କୁ ମର୍ମାହତ କରିଥିଲା। ଗ୍ଲୋବ୍‌ସ ଲଗାଇ ସଫା କରନ୍ତୁ ବୋଲି କିଛି ପରାମର୍ଶ ଦେଇଥିଲେ ହେଁ ସେ କାହାରି କଥାକୁ ନ ଶୁଣି ଏକ୍‌ଲା ଚଲୋ ନୀତିରେ ଡ୍ରେନ୍‌ ସଫା କରିବାରେ ଲାଗିଥିଲେ। ସ୍ଥାନୀୟ ମହିଳାମାନେ ହାତ ଯୋଡ଼ି ନେହୁରା ହେବା ସହ ଡ୍ରେନ ସଫା ରଖିବୁ, ଆବର୍ଜନା ପକାଇବୁ ନାହିଁ ବୋଲି କହୁଥିବା ଦେଖା ଯାଇଥିଲା। ଏହାପରେ ବିଡିଓ ଶ୍ରୀମତୀ ଓରାମ ଡ୍ରେନ୍‌ ସଫା କରିବାରୁ କ୍ଷାନ୍ତ ହୋଇଥିଲେ। ଏହି ଘଟଣା ଏବେ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସିନାପାଲି ନୂଆପଡ଼ା ଜିଲାର ସର୍ବ ପୁରାତନ ସହର ହୋଇଥିବା ବେଳେ ବ୍ଲକ ସଦର ମହକୁମା ଓ ବାଣିଜ୍ୟିକ କେନ୍ଦ୍ର ସ୍ଥଳ ମଧ୍ୟ। ଏଠାରେ ଡ୍ରେନ ସମସ୍ୟା ଜଟିଳ। ପଞ୍ଚାୟତ ତଥା ବ୍ଲକ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ସୁଦ୍ଧା ଲୋକେ ସଚେତନ ନୁହନ୍ତି। ସବୁବେଳେ ଲୋକେ ଡ୍ରେନରେ ଅଳିଆ ପକାଇବା ସହ ଗୃହ ବ୍ୟବହାର୍ଯ୍ୟ ସାମଗ୍ରୀ ପକାଉଛନ୍ତି। ଆବର୍ଜନା ଓ ଅଳିଆ ପାଣି ଜମା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ସୋମବାର ସିନାପାଲି ବିଡିଓ ଶ୍ରୀମତୀ ଓରାମ ନିଜେ ଡ୍ରେନ ସଫା କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.