
ଭୁବନେଶ୍ବର : ପିଛା ଛାଡ଼ୁନି ଲଘୁଚାପ । ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ।
ଆସନ୍ତା ସପ୍ତାହର ଶେଷ ଆଡ଼କୁ ସୃଷ୍ଟି ହୋଇପାରେ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଆହୁରି ୪ ଦିନ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୪ଜିଲ୍ଲା ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତିକୁ ୟେଲୋ ଆଲର୍ଟ ଦିଆଯାଇଛି । ବାକି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଚେତାବନୀ ଦିଆଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଆଶଙ୍କା କରାଯାଇଛି ।