
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଏହି ସମୟ ଭିତରେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ବଡ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି। କେବଳ ୧୦ଟି ବ୍ଲକରେ ୫୦ ମିମି ବର୍ଷା ହୋଇଛି । କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି । ଆଗାମୀ ୭ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ସେ କହିଛନ୍ତି ।
ହୀରାକୁଦ ଜଳସ୍ତର ସକାଳ ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ଅଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ, ୪ ଲକ୍ଷ ୨୪ ହଜାର କ୍ୟୁସେକ ନିଷ୍କାସିତ । ଆସନ୍ତାକାଲି ମୁଣ୍ଡଳୀରେ ସଂଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ । ପରବର୍ତ୍ତୀ ସମୟରେ ଏହା କମିବ, ହେଲେ ବଢିବ ନାହିଁ । ତେଣୁ ବିପଦ ଆସିବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।