
ହରିଦ୍ବାର : ଉତ୍ତରାଖଣ୍ଡ ହରିହ୍ବାର ହରକି ପୋଡି ନିକଟ ମନସା ଦେବୀ ପାହାଡ଼ରେ ଭୂସ୍ଖଳନ ହୋଇଛି । ଫଳରେ ହରିଦ୍ବାର ଡେରାଡୁନ-ରିଷିକେଶ ରେଳମାର୍ଗରେ ବାଧା ଉପୁଜିଛି । ହରିଦ୍ବାରରେ ପ୍ରବଳ ବର୍ଷା ଯୋଗୁଁ ମନସା ଦେବୀ ପାହାଡରୁ ମାଟି ଧସି ରେଳ ଟ୍ରାକରେ ପଡିଛି । ଫଳରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ରେଳ ଧାରଣା ନିକଟରେ ଥିବା ଏକ ଶିବ ମନ୍ଦିର ମଧ୍ୟ ଭୂସ୍ଖଳନରେ ଭାଙ୍ଗି ଯାଇଛି ।
ତେବେ ଗତ କିଛିଦିନ ତଳେ ମଧ୍ୟ ଏହି ସ୍ଥାନରେ ଭୂସ୍ଖଳନ ହେବା ଯୋଗୁଁ ରେଳ ମାର୍ଗ ଅବରୋଧ ହୋଇଥିଲା । ତେଣୁ ରେଲୱେ ତରଫରୁ ପାହାଡ ଏବଂ ରେଳ ଟ୍ରାକ ନିକଟରେ ଲୁହାର ବଡ଼ ଜାଲ ଲଗାଯାଇଥିଲା । କିନ୍ତୁ ଏହାସତ୍ତ୍ବେ ମଧ୍ୟ ବଡ଼ ବଡ଼ ପଥର ଖଣ୍ଡ ଲୁହା ଜାଲ ଭାଙ୍ଗି ରେଳ ଟ୍ରାକରେ ପଡିଛି । ଫଳରେ ହରିଦ୍ବାର-ଡେରାଡୁନ-ଋଷିକେଶ ରେଳ ମାର୍ଗରେ ଡଜନରୁ ଅଧିକ ଟ୍ରେନ ପ୍ରଭାବିତ ହୋଇଛି ।
ରେଳ ଧାରଣାରେ ଭୂସ୍ଖଳନ ହେବା ସୂଚନା ମିଳିବା ପରେ ପ୍ରଶାସନ ଏବଂ ରେଲୱେ ଟିମ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଗ୍ୟାସ କଟର ଜରିଆରେ ଜାଲ୍ କାଟିବା ସହିତ ଜେସିବି ମେସିନ ଟ୍ରାକରୁ ପଥର ହଟାଉଛି । ତେବେ ବଡ଼ ବଡ଼ ପଥର ଟ୍ରାକରେ ପଡ଼ିଥିବା ଯୋଗୁଁ ଏହାକୁ ହଟାଇବାକୁ ସମୟ ଲାଗୁଛି ।
ପୋଲିସ ଅଧିକାରୀ ସ୍ବପ୍ନିଲ ସୁୟାଲ କହିଛନ୍ତି, ମନସା ଦେବୀ ପାହାଡ଼ରେ ଭୂସ୍ଖଳନ ହେବା ଯୋଗୁଁ ରେଳ ଟ୍ରାକ ନିକଟରେ ହୋଇଥିବା ଏକ ଶିବ ମନ୍ଦିର ଧ୍ବଂସ ହୋଇଯାଇଛି ।