
ନବରଙ୍ଗପୁର: ଅନ୍ଧବିଶ୍ବାସର କରୁଣ ପରିଣତି । ସାପ କାମୁଡ଼ିବା ପରେ ମେଡିକାଲ ନଯାଇ ଗୁଣିଆ ପାଖକୁ ଗଲେ । ଆଉ ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଚିକିତ୍ସାରେ ବିଳମ୍ବତା ଯୋଗୁଁ ଚାଲିଗଲା ୨ନୀରିହ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ଭାଇ ଋତୁରଜ ହରିଜନ ଏବଂ ଭଉଣୀ ଅମିତା ହରିଜନ ।
ପରିବାରର ୬ଜଣ ସଦସ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ ଭାଇଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନନେଇ ଗୁଣିଆ ପାଖକୁ ନେଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଉମରକୋଟ ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଚିକିତ୍ସାରେ ବିଳମ୍ବତା ଯୋଗୁଁ ଅକାଳରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ। ସଚେତନତା ଅଭାଵରୁ ଆଜି ବି ଲୋକେ ମେଡିକାଲ ଉପରେ ଭରସା ନକରି ଗୁଣି ଗାରେଡି ଉପରେ ଭରସା କରୁଛନ୍ତି । ସେପଟେ ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକତା ରହିଛି କହିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।