ପୁଣି ରାଜ୍ୟକୁ ଫେରିଲା ୨ ଶ୍ରମିକଙ୍କ ମରଶରୀର

add-all

ଚିକିଟି:  ପିଛା ଛାଡ଼ୁନି ଦାଦନ ମୃତ୍ୟୁ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ସାମ୍ନାକୁ ଆସୁଛି। ଗତ ରବିବାର ଏବଂ ସୋମବାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ଆସି ପହଞ୍ଚିଥିବା ବେଳେ ପୁଣି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ବାଦପୁରରେ ଜଣେ ଶ୍ରମିକଙ୍କ ମୃଦଦେହ ପହଞ୍ଚିଥିବାବେଳେ ତିନିଘରିଆର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ତାମିଲନାଡୁରୁ ଆସୁଥିବା ଖବର ମିଳିଛି। ପ୍ରାଣ ହରାଇଥିବା ଏହି ଦୁଇ ଶ୍ରମିକ ହେଲେ ବାଦପୁର ପଞ୍ଚାୟତ ବାଦପୁର ଗ୍ରାମର ତୁମ୍ବନାଥ ବେହେରା(୫୫) ଏବଂ ମନ୍ଦରଡ଼ା ପଞ୍ଚାୟତ ତିନି ଘରିଆ ଗ୍ରାମର ଗଦାଧର ଗୌଡ(୪୨)। ତୁମ୍ବନାଥ ମୁମ୍ବଇରେ କାମ କରୁଥିବା ବେଳେ ଗୁରୁତର ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋର୍ ସମୟରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ସଂସ୍କାର କରାଯାଇଥିଲା। ତୁମ୍ବନାଥଙ୍କ ମୃତ୍ୟୁ ପରେ ପଞ୍ଚାୟତରେ ଦୁଇ ଦିନ ମଧ୍ୟରେ ଦାଦନ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।ସେହିପରି ତିନିଘରିଆ ଗ୍ରାମର ଗଦାଧର ତାମିଲନାଡୁ କୋଏମ୍ବାଟୁର ନିକଟ ଏକ କାରଖାନାରେ ରିଗର ଭାବେ କାର୍ଯ୍ୟ କରୁଥିଲେ। ସେ ବଡ ଦୁଇ ଭାଇ ଦୟାନିଧି, ବିପିନଙ୍କ ସହିତ ମିଶି ଗୋଟିଏ ସ୍ଥାନରେ ରହୁଥିଲେ। ଗତକାଲି ମଧ୍ୟାହ୍ନରେ ଖାଇ ସାରି ବାହାରକୁ ଯାଇଥିବା ବେଳେ ଏକ ଗାଡ଼ି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ମୋହନ କୁମାର ମଙ୍ଗଳମ୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରୁଥିବା ପରିବାର ସୂଚନା ଦେଇଛନ୍ତି। ଗଦାଧରଙ୍କ ଦୁଇ ପୁଅ ଝିଅଙ୍କ ମଧ୍ୟରୁ ଝିଅ ଯୁକ୍ତ ୨ରେ ପଢୁଥିବା ବେଳେ ପୁଅ ଉଚ୍ଚ ବିଦ୍ୟାଳୟରେ ପଢୁଛନ୍ତି। ସେ ଜଣେ ଗରିବ ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ନିବେଦନ କରିଛନ୍ତି। ଦୁଇ ଦିନ ମଧ୍ୟରେ ବ୍ଲକରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଦୁଃଖଦ ପରିସ୍ଥିତ ସୃଷ୍ଟି କରିଛି। ଗତ ୬ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ad-week
Leave A Reply

Your email address will not be published.