
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ କ୍ୟାବିନ କ୍ରୁ । ଆଉ ବିମାନଟି ଠିକ୍ ହେବା ପରେ ୬ ଘଣ୍ଟା ବିଳମ୍ବରେ ପୁଣି ଉଡ଼ାଣ ଭରିଥିଲା ।
ଖବର ମୁତାବକ, ଏୟାର ଇଣ୍ଡିଆ ବୋଇଂ ୭୮୭-୯ ଡ୍ରିମଲାଇନର ବିମାନ AI-2380 ରାତି ୧୧ଟା ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ରାତି ୧୧ଟାରେ ଉଡ଼ାଣ ଭରିବାର ଥିଲା । କିନ୍ତୁ ବିମାନ ଭିତରେ ତାପମାତ୍ରା ସମସ୍ୟା କାରଣରୁ ଉଡ଼ାଣ ଭରିପାରିନଥିଲା । ସମସ୍ତ ଯାତ୍ରୀ ୨ ଘଣ୍ଟା ଯାଏଁ ବିମାନ ଭିତରେ ବସିଥିଲେ । ଏହାପରେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ବିମାନରେ ୨୦୦ ଯାତ୍ରୀ ରହିଥିଲେ ।
ଏୟାର ଇଣ୍ଡିଆ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ବିମାନ AI-2380 ଉଡ଼ାଣ ଭରିବା ପୂର୍ବରୁ କ୍ୟାବିନରେ କୁଲିଂ ସମସ୍ୟା କାରଣ ଯୋଗୁଁ ବିଳମ୍ବ ହୋହଇଥିଲା । ଏଥିରେ ୨୦୦ରୁ ଅଧିକ ଯାତ୍ରୀ ରହିଥିଲେ । ସେମାନଙ୍କୁ ତ୍ରୁଟି ଜାଣିବା ପରେ ବିମାନରୁ ଓହ୍ଲାଇ ଟର୍ମିନାଲକୁ ନିଆଯାଇଥିଲା ।
ଏୟାରଲାଇନ୍ ପକ୍ଷରୁ କୁହାଯାଇଛି କି, ଯାତ୍ରୀମାନଙ୍କୁ ତ୍ରୁଟି ବିଷୟରେ ଜଣାଇଦିଆଯାଇଛି । ଦିଲ୍ଲୀରେ ଆମ କର୍ମଚାରୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଜଳପାନ ଏବଂ ଭୋଜନ ସହିତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଇଛି । ବିମାନଟି ଠିକ୍ ହେବା ପରେ ସକାଳ ୫.୩୬ରେ ଉଡ଼ାଣ ଭରିଥିଲା । ଯାତ୍ରୀମାନଙ୍କୁ ହେଇଥିବା ଅସୁବିଧା ପାଇଁ ବହୁତ ଦୁଃଖିତ ।